ଦେଶ- ବିଦେଶ

‘ଇଣ୍ଡିଆ ଆଉଟ୍’ ଅଭିଯାନ ଯୋଗୁ ମାଳଦ୍ବୀପର ସାଧାରଣ ଜନତା ହନ୍ତସନ୍ତ, ମଇଜ୍ଜୁଙ୍କୁ ଘେରିଲେ ଲୋକେ

ମାଲେ: ଚୀନ୍ କୁ ଖୁସି କରିବା ପାଇଁ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁ ଭାରତ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଏବେ ‘ଇଣ୍ଡିଆ ଆଉଟ୍’ ଅଭିଯାନର ଫଳ ମାଳଦ୍ବୀପର ସାଧାରଣ ଜନତାଙ୍କୁ ଭ‌ୋଗିବାକୁ ପଡୁଛି। ସାଧାରଣ ଜନତା ମଇଜ୍ଜୁଙ୍କ ପଦକ୍ଷେପ ଯୋଗୁ ହନ୍ତସନ୍ତ ହେବାରେ ଲାଗିଛନ୍ତି।ଭାରତ ପ୍ରତି ମଇଜ୍ଜୁଙ୍କ ଏପରି ଘୃଣାମୂଳକ ଅଭିଯାନ ଯୋଗୁ ଦେଶରୁ ବହୁ ଶିକ୍ଷକ ପଳାଇଛନ୍ତି। ଏହା ଦ୍ବାରା ମାଳଦ୍ବୀପର ବିଭିନ୍ନ ସ୍କୁଲରେ ଶିକ୍ଷାଦାନ ସଙ୍କଟ ସୃଷ୍ଟି ହୋଇଛି। ଏବେ ସାଧାରଣ ଲୋକେ ମଇଜ୍ଜୁଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଦେଶର ସଂସଦରେ ଏହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏହାପରେ ମଇଜ୍ଜୁ ସରକାରଙ୍କୁ ଜବାବ୍ ଦେବାକୁ ପଡ଼ିଛି।

ମାଳଦ୍ବୀପ ମିଡ଼ିଆ ଆଉଟଲେଟ ଅଧାଧୁ ରିପୋର୍ଟ ଅନୁସାରେ ମାଳଦ୍ବୀପ ଡେମୋକ୍ରାଟିକ ପାର୍ଟି(ଏମଡିଏମ)ର ସାଂସଦ ମହମ୍ମଦ ଶହିଦ ସଂସଦରେ ମଇଜ୍ଜୁ ସରକାରଙ୍କୁ ଶିକ୍ଷକଙ୍କ ଦେଶ ଛାଡିବା ନେଇ ପ୍ରଶ୍ନ ଉଠାଇଛନ୍ତି।

ଶିକ୍ଷକଙ୍କ ଅଭାବ ଯୋଗୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ସରକାରଙ୍କଠାରୁ ଜବାବ୍ ଲୋଡିଛନ୍ତି।

ସଂସଦରେ ଏଭଳି ପ୍ରଶ୍ନ ପଚରାଯିବା ପରେ ମଇଜ୍ଜୁ ସରକାର ଉତ୍ତର ଦେଇ କହିଛନ୍ତି ଦେଶରେ ଶିକ୍ଷକଙ୍କ ଅଭାବ ଯୋଗୁ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏହା ‘ଇଣ୍ଡିଆ ଆଉଟ୍’ ଅଭିଯାନ ନୁହେଁ। ଶିକ୍ଷାମନ୍ତ୍ରୀ ଡ.ଇସ୍ମାଇଲୁ ଶଫିଫୁ କହିଛନ୍ତି ଶିକ୍ଷକଙ୍କ ଅଭାବ ନେଇ କୌଣସି ସଙ୍କଟ ଦେଖାଦେଇ ନାହିଁ। ଏହା କେବଳ ସରକାରଙ୍କ ବିରୋଧରେ ଡେମୋକ୍ରାଟିକ ପାର୍ଟିର ଏକ ମିଥ୍ୟା ପ୍ରଚାର। ଶିକ୍ଷକ ଦେଶ ଛାଡି ଗଲେ କିଛି ସପ୍ତାହ ପାଇଁ ହୁଏତ ସମସ୍ୟା ସୃଷ୍ଟି ହୋଇପାରେ। ମାତ୍ର ଏହାର ସମାଧାନ ମଧ୍ୟ କରାଯାଇଛି। ବିଦେଶୀ ଶିକ୍ଷକ ଆସିବେ ଏବଂ ଯିବେ। ତେଣୁ ଆମକୁ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏନେଇ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *