ରାଜ୍ୟ

ରାଜଧାନୀରେ ନକଲି ଏନ୍‌ସିଇଆର୍‌ଟି ବହି: ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବହି ଜବତ, ୪ ଅଟକ

ଭୁବନେଶ୍ବର: ରାଜଧାନୀରେ ନକଲି ଏନ୍‌ସିଇଆର୍‌ଟି ବହିର ଭଣ୍ଡାରକୁ ଠାବ କରିଛି କମି‌ସନରେଟ୍ ପୁଲିସ। ପ୍ରାୟ ୧୦ ଲକ୍ଷ ଟଙ୍କାର ଏଭଳି ନକଲି ବହି ଜବତ କରିଛି। ରାକେଟ୍‌ର ମ‌ାଷ୍ଟରମାଇଣ୍ଡ୍ ଫେରାର ହୋଇଯାଇଥିଲେ ମଧ୍ୟ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏସବୁ ବହି କେଉଁଠି ଛପା ହେଉଥିଲା ଏବଂ କେବେଠୁ ଏହା ବଜାରକୁ ଆସୁଥିଲା? ଭୁବନେଶ୍ବର ବାହାରେ ଅନ୍ୟ କେଉଁ ସହରରେ ଏହାର କାରବାର ଚାଲିଛି ? ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ ନକଲି ବହି ନେଇ ଏନ୍‌ସିଇଆର୍‌ଟି ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ଖାରବେଳନଗର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୩୦୦ରୁ ଊର୍ଦ୍ଧ୍ବ ନକଲି ବହି ଜବତ କରାଯାଇଛି।ପୂର୍ବରୁ ପ୍ରତିବର୍ଷ ଓଡ଼ିଶାକୁ ଯେଉଁ ପରିମାଣର ଏନ୍‌ସିଇଆର୍‌ଟି ବହି ଆସୁଥିଲା, ତାହା ଗତ କିଛି ବର୍ଷ ହେଲା ହଠାତ୍‌ କମିଯାଇଥିଲା। ପ୍ରାୟ ୫୦ ପ୍ରତିଶତରୁ କମ୍‌ ବହି ବିକ୍ରି ହୋଇଥିଲା। ଏହାକୁ ନେଇ ଏନ୍‌ସିଇଆର୍‌ଟି ଦ୍ବନ୍ଦ୍ବରେ ପଡ଼ିଥିଲା। ରାଜଧାନୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବହି ବିକ୍ରି କାହିଁକି କମୁଥିଲା। ଏଭଳି ସ୍ଥିତି ଉପୁଜିବାର କାରଣ ଖୋଜୁଖୋଜୁ ବଜାରରେ ନକଲି ଏନ୍‌ସିଇଆର୍‌ଟି ବହି ମିଳୁଥିବା ଜଣାପଡ଼ିଥିଲା। ପଶ୍ଚିମବଙ୍ଗରୁ ଏନ୍‌ସିଇଆର୍‌ଟିର ଏକ ୪ ଜଣିଆ ଟିମ୍‌ ଓଡ଼ିଶା ଆସି ଛାନ୍‌ଭିନ କରିଥିଲା। ଗ୍ରାହକ ବେଶରେ ଥିବା ଏହି ଟିମ୍‌ ରାଜଧାନୀର କିଛି ବୁକ୍‌ ଷ୍ଟୋର୍‌ ବୁଲି ବହି କିଣିବା ବାହାନାରେ ଯାଞ୍ଚ କରିଥିଲା। ପ୍ରଥମେ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ବିଦ୍ୟାର୍ଥୀ ବୁକ୍ ଷ୍ଟୋରରୁ ବହି କିଣିଥିଲେ। ସେଠାରେ ସେମାନଙ୍କ ହାତରେ ଦୁଇଟି ନକଲି ବହି ଲାଗିଥିଲା। ବହିର କାଗଜ ଓ ହଲୋଗ୍ରାମ୍‌ରୁ ତାହା ନକଲି ବୋଲି ଜଣାପଡ଼ିଥିଲା। ତେଣୁ ସେହି ଟିମ୍‌ ତୁରନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *