ରାଜ୍ୟ

ହିଟ୍‌ୱେଭ୍‌କୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି, ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ଫେବ୍ରୁଆରି ଶେଷ ହୋଇନାହିଁ ଶୀତ ଉଭାନ ହୋଇଯାଇଛି। ରାତିରେ ବି ଆଉ ଥଣ୍ଡା ଲାଗୁନାହିଁ। ଗ୍ରୀଷ୍ମଋତୁ ଆହୁରି ବହୁତ ଦିନ ଥିବା ବେଳେ ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଛି। ଉଭୟ ଦିନ ଓ ରାତିରେ ଏବେଠାରୁ ପଙ୍ଖା, କୁଲର ଓ ଏସି ଦରକାର ପଡୁଛି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛି। ଏସବୁକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିସନ ତରଫରୁ ସତର୍କ ସୂଚନା ଜାରି କରାଯାଇଛି।ଏସ୍‌ଆରସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସବୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ବୁଧବାର ଦିନ ଚିଠିଲେଖି  ହିଟ୍‌ୱେଭ୍‌କୁ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ସେ ହିଟ୍‌ୱେଭ୍‌ ନେଇ ଜନସେଚତନା କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରବଳ ଖରା ସମୟରେ ‌କ’ଣ କରାଯିବ ଓ କ’ଣ କରାନଯିବ ତାହା ବୁଝାଇଛନ୍ତି। ସେହିପରି ପାଣି ସମସ୍ୟା ପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।ପାନୀୟ ଜଳକୁ ଗୁରୁତ୍ବ ଦେଇ ଶ୍ରୀ ସାହୁ କହିଛନ୍ତି, ନଳକୂପ ଓ ପାଇପ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଜଳ ବ୍ୟବସ୍ଥା ଅଚଳ ଥିଲେ ତୁରନ୍ତ ମରାମତି କରାଯାଉ। ଅଭିଯୋଗ ଆସିଲେ ତୁରନ୍ତ ନଳକୂପ ଓ ପାଇପ୍‌ ମରାମତି କରାଯାଉ। ବଜାର, ବସ୍‌ଷ୍ଟାଣ୍ଡ ଓ ଅନ୍ୟସ୍ଥାନରେ ବିଶୁଦ୍ଧ ପାନୀୟ ଜଳର ସୁନିଶ୍ଚିତ କରାଯାଉ। ବାସହୀନଙ୍କ ପାଇଁ ନିର୍ମାଣ ହୋଇଥିବା ଆଶ୍ରୟଘରକୁ ପ୍ରସ୍ତୁତ କରାଯାଉ। ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ବ୍ୟବସ୍ଥା, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପାଠପଢ଼ା, ସକାଳ ସମୟରେ ‌ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା, ପ୍ରର୍ଯ୍ୟପ୍ତ ପରିମାଣରେ ଓଆରଏସ୍‌, ଔଷଧ, ସାଲାଇନ ମହଜୁଦ ରଖିବାକୁ ପରାମର୍ଶ ‌ଦିଆଯାଇଛି।

Leave a Reply

Your email address will not be published. Required fields are marked *