ରାଜ୍ୟ

ଜାଲିଆତି କରି ସରକାରୀ ଟଙ୍କା ଆତ୍ମସାତ ମାମଲା, ଅଭିଯୁକ୍ତକୁ ୩ ବର୍ଷ ଜେଲ୍

ବ୍ରହ୍ମପୁର,୫/୫/୨୪:ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଡ଼ା ଅରୁଣ କୁମାର ସାହୁ ଜାଲିଆତି କରି ସରକାରୀ ଟଙ୍କା ଆତ୍ମସାତ କରିଥିବା ମାମଲା ବିଚାରଣା କରି ଉକ୍ତ ମାମଲା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୧୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୫ ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଉକ୍ତ ରାୟରେ ଉଲ୍ଲେଖ ରହିଛି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁରର ଭୁବନମୋହନ ଦାସ(୭୨)। ସେ ଜଗନ୍ନାଥପୁର ସ୍ଥିତ ମାର୍କଫେଡ କାର୍ଯ୍ୟାଳୟର ପୂର୍ବତନ ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ।ସୂଚନାଯୋଗ୍ୟ ଯେ, ୨୦ ବର୍ଷ ପୁର୍ବେ ୨୦୦୩ରେ ଭୁବନମୋହନ ଦାସ ଗଞ୍ଜାମ ଜିଲା ଜଗନ୍ନାଥପୁର ସ୍ଥିତ ମାର୍କଫେଡ କାର୍ଯ୍ୟାଳୟର ପୂର୍ବତନ ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ମାର୍କଫେଡ ଅଧିନରେ ଥିବା ଏକ ଚାଷ ଜମିକୁ ଅଣଚାଷ ଜମିରେ ପରିବର୍ତ୍ତନ କରିବାକୁ ସେ ଛତ୍ରପୁର ସ୍ଥିତ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ । କିଷମ ପରିବର୍ତ୍ତନ ପାଇଁ ଜମି ଟକସ ବାବଦକୁ ମାର୍କଫେଡ ପକ୍ଷରୁ ଯଥାକ୍ରମରେ ୨୮୨୩୦ ଟଙ୍କା ଏବଂ ୯୬୦୫ ଟଙ୍କା ତହସିଲ କାର୍ଯ୍ୟାଳୟରେ ଜମା କରିବାର ଥିଲା । ଏହି ଟଙ୍କା ଜମା କରିବାକୁ ଏରିଆ ମ୍ୟାନେଜର ଭୁବନମୋହନ ନିଜ କାର୍ଯ୍ୟାଳୟର ୨୧ ଓ ୨୩ ନଂ ଭାଉଚର ବ୍ୟବହାର କରିଥିଲେ । ହେଲେ ସେ ଯେଉଁ ଭାଉଚର ବ୍ୟବହାର କରି ୯୬୦୫ ଟଙ୍କା ଜମା କରିଥିଲେ ପରବର୍ତ୍ତୀ ସମୟରେ ସେଥିରେ ଜାଲିଆତି କରି ୧ ଲକ୍ଷ ୪୧ ହଜାର ୧୫୦ ଟଙ୍କା ଜମା କରାଯାଇଛି ବୋଲି ସରକାରଙ୍କୁ ଦର୍ଶାଇଥିଲେ । ଏପରିକି ନିଜ କାର୍ଯ୍ୟାଳୟର କ୍ୟାସବୁକରେ ଭୁଲ ତଥ୍ୟ ଦେବା ସହ ତହସିଲ ପକ୍ଷରୁ ପ୍ରଦାନ କରାଯାଇଥିବା ମନି ରିସିପ୍ଟକୁ ମଧ୍ୟ ଜାଲିଆତି କରିଥିଲେ । ଏହା ଦ୍ବାରା ସେ ମୋଟ ୧ ଲକ୍ଷ ୩୧ ହଜାର ୫୪୫ ଟଙ୍କା ଆତ୍ମସାତ କରି ନେଇଥିଲେ । ଏ ନେଇ ଅଭିଯୋଗ ପରେ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଥିଲା । ଭିଜିଲାନ୍ସ ପକ୍ଷରୁ ସେହି ଅଭିଯୋଗର ତଦନ୍ତ କରାଯିବା ସହ ୨୦୦୫ ମେ ୩ ତାରିଖରେ ଏରିଆ ମ୍ୟାନେଜର ଭୁବନମୋହନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଉକ୍ତ ଦିନ ତାଙ୍କୁ କୋର୍ଟରୁ ଜାମିନ ମଧ୍ୟ ମିଳିଯାଇଥିଲା । ମାମଲାର ବିଚାରଣା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲୁ ରହିଥିବା ବେଳେ ଭିଜିଲାନ୍ସର ତତକାଳୀନ ଇନ୍ସପେକ୍ଟର ତଥା ତଦନ୍ତ ଅଧିକାରୀ ପ୍ରଫୁଲ କୁମାର ପଟେଲ ଚାର୍ଜସିଟ ଦାଖଲ କରିଥିଲେ । ବିଚାରଣା ବେଳେ ମୋଟ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଉପରୋକ୍ତ ରାୟ ପ୍ରକାଶ କରିଥିଲେ । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *