ଦେଶ- ବିଦେଶ

ଇସ୍ରାଏଲ ସେନା ଉପରେ ଅଧିକ କଟକଣା ଲଗାଇବ ଆମେରିକା

ତେଲ ଅବିବ: ପାଲେଷ୍ଟାଇନର ସାଧାରଣ ନାଗରିକଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଇସ୍ରାଏଲର ଏକ ସାମରିକ ଓ ପୁଲିସ ଶାଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ବିଚାର କରୁଛି ବୋଲି ରବିବାର ଆମେରିକାର ଦୁଇଟି ସୂତ୍ରରୁ ଜଣାପଡ଼ିଛି। ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଦୁଇ ସହଯୋଗୀ ଦେଶ ମଧ୍ୟରେ ସମ୍ପର୍କକୁ ଏହା ତିକ୍ତ କରିପାରେ ବୋଲି କୁହାଯାଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର କହିଛନ୍ତି ଯେ ସେ ଇସ୍ରାଏଲର ଯେକୌଣସି ସାମରିକ ଶାଖା ଉପରେ ଲାଗିଥିବା ପ୍ରତିବନ୍ଧକ ବିରୋଧରେ ସମସ୍ତ ଶକ୍ତି ସହିତ ଲଢ଼ିବେ।

ଆମେରିକା ବୈଦେଶିକ ମନ୍ତ୍ରଣାଳୟ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଇସ୍ରାଏଲ ସେନାର ନେତଜା ୟେହୁଦା ଓ ଅନ୍ୟ କେତେକ ଶାଖା ଉପରେ ଏକ ବର୍ଷରୁ ଅଧିକ ସମୟ ଧରି ତଦନ୍ତ କରିଥିଲା। ପାଲେଷ୍ଟାଇନ ବିରୋଧରେ ହିଂସା ଅଭିଯୋଗକୁ ନେଇ ନେତଜା ୟେହୁଦା ବାଟାଲିୟନ ଅତୀତରେ ବିବାଦ ଘେରରେ ରହିଛି। ଏଥିରେ ୭୮ ବର୍ଷୀୟ ପାଲେଷ୍ଟିନୀୟ-ଆମେରିକୀୟ ଓମାର ଅସଦଙ୍କ ମୃତ୍ୟୁ ମଧ୍ୟ ସାମିଲ ଥିଲା। ଅନ୍ୟ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଏହାକୁ ଅନୁସରଣ କରି ପାଲେଷ୍ଟାଇନ୍ ବିରୋଧରେ ହିଂସା ଅଭିଯୋଗରେ ଇସ୍ରାଏଲର ସାମରିକ ଶାଖା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଯଦି ଆମେରିକା ନେତଜା ୟେହୁଦା ଓ ଅନ୍ୟ ବାଟାଲିୟନ ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଏହି ଶାଖାଗୁଡ଼ିକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଆମେରିକୀୟ ସାମରିକ ସହାୟତା ବ୍ୟବହାର କରିପାରିବେ ନାହିଁ। କିନ୍ତୁ ଇସ୍ରାଏଲ ଏହି ଶାଖାଗୁଡ଼ିକ ପାଇଁ ଅସ୍ତ୍ରଶସ୍ତ୍ର କିଣିବା ଲାଗି ନିଜର ପାଣ୍ଠି ବ୍ୟବହାର କରିପାରିବ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ୱେଷ୍ଟବ୍ୟାଙ୍କରେ ଇସ୍ରାଏଲର କାର୍ଯ୍ୟକଳାପ ନେଇ ବାଇଡେନ ପ୍ରଶାସନ ଭିନ୍ନମତ ରଖିଥିବା ବେଳେ ଗତ ସପ୍ତାହରେ ଆମେରିକୀୟ କଂଗ୍ରେସ ପକ୍ଷରୁ ୧୪ ବିଲିୟନ ଡଲାର ସହାୟତା ପ୍ୟାକେଜ ପାରିତ ହୋଇଛି।

ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ ଏକ ବିବୃତିରେ କହିଛନ୍ତି ଯେ ଆମେରିକାର ଯୋଜନାବଦ୍ଧ ପଦକ୍ଷେପ ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବ। ସେ ରବିବାର ଏହି ଯୋଜନାବଦ୍ଧ ପ୍ରତିବନ୍ଧକକୁ କିପରି ରୋକାଯାଇପାରିବ ସେ ନେଇ ଆଇଡିଏଫ୍ ଚିଫ୍ ଅଫ୍ ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ ହର୍ଜି ହାଲେଭିଙ୍କ ସହ ଆଲୋଚନା କରିଥିଲେ। ଆମେରିକୀୟ ପ୍ରଶାସନ ଏହି ପଦକ୍ଷେପରୁ ପଛଘୁଞ୍ଚା ଦେବ ବୋଲି ମୁଁ ଆଶା କରୁଛି ବୋଲି ଗାଲାଣ୍ଟ କହିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଗାଲାଣ୍ଟ ଇସ୍ରାଏଲରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଜ୍ୟାକ୍ ଲୁଙ୍କ ସହ ଏ ନେଇ କଥା ହୋଇଛନ୍ତି ଏବଂ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *