ଦେଶ- ବିଦେଶ

ପାକିସ୍ତାନରେ ପ୍ରବଳ ବର୍ଷା ହେତୁ ଗଲାଣି ୪୯ ଜୀବନ, ନଷ୍ଟ ହେଲାଣି ଅନେକ ଘର

ଇସ୍‌ଲାମବାଦ୍‌: ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁ ପାକିସ୍ତାନର ପରିସ୍ଥିତି ଅତ୍ୟନ୍ତ  ଖରାପ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି ।  ଅନେକ ଘର ନଷ୍ଟ ହୋଇଯାଇଛି  ଏବଂ ରାସ୍ତାଘାଟ ସବୁଆଡେ ପାଣିରେ ପରିପୂର୍ଣ୍ଣ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କୁ ରିଲିଫ ସହାୟତା ପ୍ରଦାନ କରିବାକୁ  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତିନି ଦିନ ଧରି ଲଗାତାର ପ୍ରବଳ ବର୍ଷା ଓ ବଜ୍ରପାତ ପରେ ଅତି କମରେ ୪୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପାକିସ୍ତାନର ଅଧିକାରୀମାନେ ସୋମବାର କହିଛନ୍ତି । ପ୍ରବଳ ବର୍ଷା ହେତୁ ଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ଗହମ ଅମଳ କରୁଥିବା ବେଳେ ବଜ୍ରପାତରେ କିଛି କୃଷକଙ୍କ ମୃତ୍ୟୁ ଘଟିଥିଲା ​​ଏବଂ ବର୍ଷା ହେତୁ ଉତ୍ତର ପଶ୍ଚିମ ଏବଂ ପୂର୍ବ ପଞ୍ଜାବ ପ୍ରଦେଶରେ ଅନେକ ଘର ଭୁଶୁଡି ପଡିଛି । ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖପାତ୍ର ଆର୍ଫାନ୍ କାଥିଆ କହିଛନ୍ତି ଯେ ପଞ୍ଜାବରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଠାରେ ଏହି ସପ୍ତାହରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ।

ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ଖାଇବର ପାଖ୍ଟନଖୱା ପ୍ରଦେଶର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖପାତ୍ର ଖୁର୍ସିଦ ଅନୱାର କହିଛନ୍ତି ଯେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଇସଲାମାବାଦରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା ଏବଂ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା । ଉତ୍ତର-ପଶ୍ଚିମ ସହର ପେଶୱାର ଏବଂ ବାଲୁଚିସ୍ତାନର ରାଜଧାନୀ କ୍ୱେଟାର ରାସ୍ତା ଜଳମଗ୍ନ ହୋଇଥିଲା ।

Leave a Reply

Your email address will not be published. Required fields are marked *