ରାଜ୍ୟ

ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନ ହୁଅନ୍ତୁ। ଏଥି ପାଇଁ ‘ଆମ ବ୍ୟାଙ୍କ’ ଖୋଲା ଯାଉଛି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ବ୍ୟାଙ୍କ ଜନସେବାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି। ସମସ୍ତ ସରକାରୀ ସୁବିଧା ସିଧା ସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି। ସେଥିପାଇଁ ମୋ ରାଜ୍ୟର ସବୁ ହିତାଧିକାରୀ ସୁବିଧାରେ ଓ ଠିକ୍‌ ସମୟରେ ତାଙ୍କ ପ୍ରାପ୍ୟ ପାଆନ୍ତୁ। କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ଯେପରି ହଇରାଣ ନ ହେବେ ତାକୁ ଦୃଷ୍ଟିରେ ରଖି ଏହି ବ୍ୟାଙ୍କ ଗୁଡିକ ଖୋଲାଗଲା। ଏ ଦିଗରେ ବ୍ୟାଙ୍କ ଗୁଡିକ ଭଲ ଭାବେ କାମ କରିବ। ‘ଆମ ବ୍ୟାଙ୍କ’ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ। ସାରା ଦେଶରେ ଏକ ମଡେଲ। ବ୍ୟାଙ୍କ ଗୁଡିକ ହିତାଧିକାରୀଙ୍କୁ ୧୫ ପ୍ରକାର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଗାଁମାନଙ୍କରେ ଡିଜିଟାଲ ଭିତ୍ତିଭୂମିକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମସ୍ତଙ୍କ ଏକ ମୌଳିକ ଅଧିକାର। ଏକ କଲ୍ୟାଣକାରୀ ରାଜ୍ୟ ଭାବରେ ସମସ୍ତ ନାଗରିକମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ସାମିଲ କରିବା ଆମର ମୁଖ୍ୟ ଦାୟିତ୍ୱ। ଓଡିଶା ଆଜି ଯେଉଁ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଯୋଗାଇ ଦେଉଛି, ତାହା ଜାତୀୟ ସ୍ତରରେ ଉଦାହରଣ।

ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ବୁଣାକାର ଓ କଳାକାରମାନଙ୍କ ପେନସନ ଓ ସହାୟତା ନିକଟରେ ବୃଦ୍ଧି କରାଯାଇଛି। ଏମାନଙ୍କ ସହିତ ମିଶନ ଶକ୍ତି ମା’ ମାନେ ମଧ୍ୟ ଏହି ବ୍ୟାଙ୍କ ଜରିଆରେ ସୁବିଧା ପାଇବେ। ‘ଆମ ବ୍ୟାଙ୍କ’ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶାରିରୀକ ଅକ୍ଷମମାନଙ୍କୁ ସେମାନଙ୍କ ଘର ପାଖରେ ସେବା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶେଷରେ ରାଜ୍ୟ ସରକାରଙ୍କ ଏହି ବ୍ୟାଙ୍କ ଖୋଲିବାରେ ସହାୟତା କରିଥିବା ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଧନ୍ୟବାଦ ଜଣାଇ ସମାଜର ସବୁଠାରୁ ତଳସ୍ତରରେ ରହୁଥିବା ଲୋକ ଯେମତି ସୁବିଧାରେ ବ୍ୟାଙ୍କ ସେବା ପାଇବ ସେଥିପାଇଁ ସେମାନଙ୍କର ଉଦ୍ୟମ ଅବ୍ୟାହତ ରଖିବା ପାଇଁ ଅନୁରୋଧ କରିଥିଲେ। ଏକ ସଶକ୍ତ ଓଡିଶା ଗଠନ କରିବା ଦିଗରେ ଆମେ ସମସ୍ତେ ସମ୍ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ

Leave a Reply

Your email address will not be published. Required fields are marked *