ଅପରାଧମୁଖ୍ୟ ଖବର

ସାନଭାଇ ମୃତ୍ୟୁ ପାଇଁ ଦାୟୀ କହି ଭାଇବୋହୂ ଉପରେ ପେଟ୍ରୋଲ୍‌ ଢାଳି ପୋଡ଼ିଦେଲେ ଦେଢ଼ଶୁର

ଭୋପାଳ: ସାନଭାଇର ମୃତ୍ୟୁ ପାଇଁ ରାଗ ରଖିଥିବା ମଧ୍ୟପ୍ରଦେଶର ରତଲାମ୍‌ ଜିଲ୍ଲାରେ ଜଣେ ବ୍ୟକ୍ତି ଶନିବାର ଦିନ ଭାଇବୋହୂଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ପୁଲିସ କହିଛି।

ନିର୍ମଳା ନାମ୍ନୀ ସେ ମହିଳାଙ୍କର ପୋଡ଼ା କ୍ଷତ ଯୋଗୁଁ ମୃତ୍ୟୁଘଟିଛି ବୋଲି ଡାକ୍ତରମାନେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ନିର୍ମଳାଙ୍କ ସ୍ବାମୀ ପ୍ରକାଶ ୬ ମାସ ତଳେ ଆତ୍ମହତ୍ୟା କରିଥିଲେ। କିନ୍ତୁ, ପ୍ରକାଶଙ୍କ ବଡ଼ଭାଇ ସୁରେଶ ଏଥିପାଇଁ ଭାଇବୋହୂ ନିର୍ମଳାଙ୍କୁ ଦାୟୀ କରିଥିଲେ। ତାଙ୍କରି କାରଣରୁ ହିଁ ସାନଭାଇ ଜୀବନ ହାରିଲା ବୋଲି ସେ କହିଆସୁଥିଲେ।

ସ୍ବାମୀ ମରିଯାଇଥିଲେ ବି ନିର୍ମଳା ତାଙ୍କର ୨ ପିଲାଙ୍କ ସହିତ ଶାଶୂଘରେ ରହୁଥିଲେ। କିନ୍ତୁ, ଦେଢ଼ଶୁର ସୁରେଶ ନିର୍ମଳାଙ୍କ ଉପରେ ରାଗ ରଖିବା ସହିତ ସବୁବେଳେ ତାଙ୍କୁ ସାନଭାଇର ମୃତ୍ୟୁ ପାଇଁ ଦୋଷ ଦେଉଥିଲେ।

ଶନିବାର ଦିନ ସୁରେଶ ଭାଇବୋହୂ ନିର୍ମଳାଙ୍କୁ ମାରଧର କରି ଟାଣି ଟାଣି ଘରୁ ବାହାକୁ ନେଇ ଆସିଲେ।  ତା’‌ପରେ ତାଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଲେ। ଘଟଣାସ୍ଥଳରେ ହିଁ ନିର୍ମଳାଙ୍କର ମୃତ୍ୟୁ ଘଟିଲା ବୋଲି ପୁଲିସ କହିଛି।

ନିର୍ମଳାଙ୍କ ଭାଇ ସାମ୍ବାଦିକମାନଙ୍କୁ କହିଛନ୍ତି, ଆଜି ମୁଁ ଭଉଣୀ ନିର୍ମଳାକୁ ଆଣିବାକୁ ବାହାରିଥିବା ବେଳେ ‘ଆମେ ତୁମ ଭଉଣୀକୁ ପ‌ୋଡ଼ି ପକାଇଛୁ’ ବୋଲି ସୁରେଶ ମତେ ଫୋନ୍‌ କରି ଜଣାଇଲେ। ଭିଣୋଇଙ୍କ ମୃତ୍ୟୁ ପାଇଁ ସୁରେଶ ଆମ ଭଉଣୀକୁ ଦାୟୀ କରୁଥିଲେ। ଭଉଣୀକୁ ମାରିଦେବେ ବୋଲି ମଧ୍ୟ ସେମାନେ ଧମକ ଦେଉଥିଲେ।

ସୁରେଶଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

Leave a Reply

Your email address will not be published. Required fields are marked *