ରାଜ୍ୟ

ମସ୍‌ଜିଦ୍‌ ଭିତରେ ଅବସରପ୍ରାପ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ

ବାରମୂଳା: ଆଜି ବାରମୂଳା ଜିଲ୍ଲାସ୍ଥିତ ଏକ ମସ୍‌ଜିଦ୍‌ ଭିତରେ ଅଜ୍ଞାତ ଆତଙ୍କବାଦୀମାନେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି।

ପୁଲିସ କହିଛି, ଶୀରି ବାରମୂଳା ଅନ୍ତର୍ଗତ ଗଣ୍ଟମୂଳା ବାଲାସ୍ଥିତ ଏକ ସ୍ଥାନୀୟ ମସ୍‌ଜିଦ୍‌ ଭିତରେ ‘ଆଜାନ୍‌’ କରୁଥବା ବେଳେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ (ଏସ୍‌ଏସ୍‌ପି) ମହମ୍ମଦ୍‌ ଶାଫିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳି ଚୋଟରେ ଆହତ ହୋଇ ଶାଫିଙ୍କର ମୃତ୍ୟୁ ହୋଇଯାଇଛି।

ଗୁଳିକାଣ୍ଡ ଘଟଣା ପରେ ସେ ଅଞ୍ଚଳକୁ କର୍ଡନ କରାଯାଇଛି। ଘଟଣା ସଂକ୍ରାନ୍ତରେ ଅଧିକ ବିବରଣୀ ପାଇଁ ଅପେକ୍ଷା କରିଛୁ ବୋଲି ପୁଲିସ ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ, ଗତ ମାସରେ ଶ୍ରୀନଗରସ୍ଥିତ ଇଦ୍‌ଗା ମସ୍‌ଜିଦ୍‌ ନିକଟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଜଣେ ପୁଲିସ ଇନ୍‌ସ୍‌ପେକ୍ଟର୍‌ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହାଛଡ଼ା, ରାଜୌରି ସେକ୍ଟର୍‌ ଅନ୍ତର୍ଗତ ଡେରା କୀ ଗଲିର ଅରଣ୍ୟାଞ୍ଚଳରେ ଥିବା ଆତଙ୍କବାଦୀମାନଙ୍କୁ ଧରିବା ଲାଗି ପୁଞ୍ଚ୍‌ ଜିଲ୍ଲାର ବଫ୍ଲିଜ୍‌ ଅଞ୍ଚଳରେ ନିରାପତ୍ତା ବଳଙ୍କୁ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *