ମୁଖ୍ୟ ଖବର

ଡ୍ରାଇଭର୍‌ କହିଲେ ‘ଡିୟୁଟି’ ଶେଷ; ଦୀର୍ଘ ସମୟ ଧରି ଟ୍ରେନ୍‌ରେ ଫସି ରହିଲେ ୨,୫୦୦ ଯାତ୍ରୀ

ଲକ୍ଷ୍ନୌ: ଜଣେ ଡ୍ରାଇଭର୍‌ ‘ଡିୟୁଟି’ ସମୟ ଶେଷ ଓ ଆଉ ଜଣେ ‘ଦେହ ଭଲ ଲାଗୁନି’ ବୋଲି କହିବାରୁ ବୁଧବାର ଦିନ ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲା ଅନ୍ତର୍ଗତ ବୁଢ଼ବଲ୍‌ ଜଙ୍କ୍‌ସନ୍‌ରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ୨,୫୦୦ ଯାତ୍ରୀ ଦୀର୍ଘ ସମୟ ଧରି ଫସି ରହିଥିଲେ ବୋଲି ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।ଟ୍ରେନ୍‌ରେ ପାଣି, ଖାଦ୍ୟ ଏବଂ ବିଜୁଳି ଯୋଗାଣ ବ୍ୟାହତ ହେବାରୁ ଯାତ୍ରୀମାନେ ବିବ୍ରତ ଓ ଉତ୍‌କ୍ଷିପ୍ତ ହୋଇ ରେଳଧାରଣା ଉପରେ ପ୍ରତିବାଦ ପ୍ରଦର୍ଶନ କରିବାରୁ ଆସୁଥିବା ଆଉ ଗୋଟାଏ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ ମଧ୍ୟ ଅଟକି ରହିଲା।

ଡ୍ରାଇଭର୍‌ଙ୍କ ଯୋଗୁଁ ପ୍ରଭାବିତ ହୋଇଥିବା ଟ୍ରେନ୍‌ ୨ଟି ହେଉଛି, ‘ନୂଆଦିଲ୍ଲୀ ସ୍ପେସାଲ୍‌ ଫେୟାର୍‌ ଛଠ୍‌ ପୂଜା ସ୍ପେସାଲ୍‌’ (୦୪୦୨୧) ଓ ବରୌନି-ଲକ୍ଷ୍ନୌ ଜଙ୍କ୍‌ସନ୍‌ ଏକ୍ସପ୍ରେସ୍‌ (୧୫୨୦୩)। ବହୁ ସମୟ ପରେ ଉତ୍ତରପୂର୍ବ ରେଳବାଇ ଗୋଣ୍ଡା ଜଙ୍କ୍‌ସନ୍‌ରୁ କର୍ମଚାରୀ ପଠାଇବା ପରେ ଟ୍ରେନ୍‌ ଦୁଇଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲେ।

ରେଳବାଇ କହିଛି, ନଭେମ୍ବର ୨୭ ତାରିଖ ସନ୍ଧ୍ୟା ୭.୧୫ରେ ଛାଡ଼ିବାକୁ ଥିବା ଟ୍ରେନ୍‌ ନମ୍ବର ୦୪୦୨୧ ତା’ର ମୂଳ ଷ୍ଟେସନ୍‌ ସହରାସାରୁ ନଭେମ୍ବର ୨୮ ତାରିଖ ସକାଳ ୯.୩୦ରେ ଯାତ୍ରା ଆରମ୍ଭ କରି ୧୯ ଘଣ୍ଟା ବିଳମ୍ବରେ ଗୋରଖପୁରରେ ପହଞ୍ଚିଲା।

ସେହିପରି, ସାଢ଼େ ୫ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲୁଥିବା ଟ୍ରେନ୍‌ ନମ୍ବର ୧୫୨୦୩ ଅପରାହ୍ଣ ୪.୦୪ରେ ବୁଢ଼ବଲ ଷ୍ଟେସନ୍‌ରେ ପହଞ୍ଚିବା ପରେ ଡ୍ରାଇଭର୍‌ ଟ୍ରେନ୍‌ ଛାଡ଼ି ପଳାଇଥିଲେ।

Leave a Reply

Your email address will not be published. Required fields are marked *