ରାଜ୍ୟ

ଶପଥ ଗ୍ରହଣ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ନୂଆ ରାଜ୍ୟପାଳ ରଘୁବର ଦାସ: ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ

ଭୁବନେଶ୍ବର: ଶପଥ ଗ୍ରହଣ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ନୂଆ ରାଜ୍ୟପାଳ ରଘୁବର ଦାସ। ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସିଥିଲେ। ଏହି ସମୟରେ ନୂଆ ରାଜ୍ୟପାଳଙ୍କୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ କେତେକ ନେତା ମନ୍ଦିର ନିକଟରେ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେ ପ୍ରାୟ ୪୦ ମିନିଟ୍ କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିଛନ୍ତି। ଏହା ପୂର୍ବରୁ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେ ସେ ଦେଶ ଏବଂ ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି ଲାଗି ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କଲି।ଉଲ୍ଲେଖଯୋଗ୍ୟ, ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଭାବେ ଆଜି ପୂର୍ବାହ୍ଣ ୧୧ଟା ୪୫ରେ ଶପଥ ଗ୍ରହଣ କରିବେ। ରାଜଭବନର ନୂଆ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ।
ଏଣେ ରାଜଭବନରେ ସୋମବାର ଦିନ ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ। ଏହି ଅବସରରେ ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିସନର ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ।
ସୋମବାର ସକାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସେ ଅଭବାଦନ ଜଣାଇଥିଲେ। ରାଜ୍ୟପାଳ ରଘୁବର ଦାସଙ୍କ ସହିତ ତାଙ୍କ ପତ୍ନୀ ବି ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉ ଓ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ତାଙ୍କୁ ସ୍ୱାଗତ ଜଣାଇବା ସହ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ। ରଘୁବର ଦାସ ପ୍ରାୟ ଏକ ଘଂଟା କାଳ ଶ୍ରୀମନ୍ଦିରରେ ରହିବା ସହ ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ଗତ ଥରର ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *