ରାଜ୍ୟ

ବ୍ରହ୍ମପୁର, ଆସିକା ଓ କନ୍ଧମାଳ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‍ ପ୍ରଚାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ରାଲିରେ ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।

ନିର୍ବାଚନ ପ୍ରଚାରର କୋଳାହଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡ଼ମ୍ୱର ଶୈଳୀର ପ୍ରଚାର ଲୋକଙ୍କ ହୃଦୟକୁ ଛୁଇଁଥିଲା। ଉଚ୍ଛସିତ ଜନତା ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତରରେ ସେମାନେ ‘ହଁ’ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‍, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଦି ସବୁ ଯୋଜନା ବିଷୟରେ ଲୋକ ଦେଇଥିଲେ ବିଶାଳ ସମ୍ମତି।

ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ ତ ? ଏଥିରେ ଉପସ୍ଥିତ ସବୁ ଲୋକ ଠିଆ ହୋଇ କରତାଳି ଦେଇ ବହୁତ ଜୋର୍‍ରେ ‘ହଁ’ ମାରି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ବିରୋଧୀ ଦଳ ମିଛ କହୁଛନ୍ତି ଓ ତାଙ୍କ ନେତାମାନେ ମଧ୍ୟ ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ, ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ। ସଭାରେ ଯୋଗ ଦେଇ ବରିଷ୍ଠ ବିଜୁ ଜନତା ଦଳ ନେତା କହିଥିଲେ ଯେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆମ ନିର୍ବାଚନ ଇସ୍ତାହାର ଘୋଷଣା କରିବେ । ସବୁବର୍ଗ ପାଇଁ, ବିଶେଷ କରି ଯୁବବର୍ଗ ପାଇଁ ଏହି ଇସ୍ତାହାର ଆଣିବ ଖୁସି ଖବର। ସାରା ଓଡ଼ିଶା ପାଇଁ ଖୁସି ଆଣିଦେବ।

Leave a Reply

Your email address will not be published. Required fields are marked *