ରାଜ୍ୟ

ଜାରି ହେଲା ବିଜେଡିର ନିର୍ବାଚନୀ ଇସ୍ତାହାର: ଏଥିରେ କ’ଣ ଘୋଷଣା ହୋଇଛି ଜାଣନ୍ତୁ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଆଜି ସନ୍ଧ୍ୟାରେ ନିର୍ବାଚନୀ ଇସ୍ତାହାର ଜାରି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଇସ୍ତାହାର ଲୋକଙ୍କ ସାମ୍ନାରେ ରଖିଛନ୍ତି। ଏହି ମନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ ବୋଲି ସେ କହିଛନ୍ତି। ଗତ ୨୪ ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ  ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି।  ପ୍ରଭୁ ଜଗନ୍ନାଥଙ୍କ କୃପା  ଏବଂ ଜନସାଧାରଣଙ୍କ  ଆଶୀର୍ବାଦ ସହିତ, ଏହି ଲୋକାଭିମୁଖୀ  ମନିଫେଷ୍ଟୋରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ ୫ଟି ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବରରାଜ୍ୟର ମାନ୍ୟତା ପ୍ରଦାନ କରିବ।ଆମର ଯୁବକ ହିଁ ଓଡିଶାର ସଫଳତାର କାହାଣୀ ଲେଖିବେ। ଏକନମ୍ବର ରାଜ୍ୟର ଭବିଷ୍ୟତ ଲେଖିବା ପାଇଁ ସେମାନଙ୍କୁ ସଶକ୍ତ ଓ ସମୃଦ୍ଧ କରାଯିବ।  ଓଡ଼ିଶାର ଯୁବକମାନଙ୍କ ନିମନ୍ତେ  ୧୦  ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ। ଏହି ଯୁବ ବଜେଟ୍ ଜଳବାୟୁ ଏବଂ ଜେଣ୍ଡର ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ। ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ ଯେଉଁଠାରେ ଯୁବକମାନେ ନିଜ ପରିଚୟ ଏବଂ ଓଡିଶାର ପରିଚୟ ସୃଷ୍ଟି କରିପାରିବେ। ନୂଆ ଓ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ। ନୂଆ ଓ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ ୧୪,୦୦୦ ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨,୦୦୦କୁ ବୃଦ୍ଧି କରାଯିବ। ସରକାରୀ ପ୍ରବେଶ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ହାସଲ କରିବା ପରେ ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମ କରୁଥିବା କଲେଜରେ ପଢୁ ଥିବା ସମସ୍ତ ଯୋଗ୍ୟ ଛାତ୍ରଙ୍କୁ ଏହା ପ୍ରଦାନ କରାଯିବ। ଆସନ୍ତା ପାଞ୍ଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ରୁଣକୁ ବ୍ୟାପକ କଭରେଜ୍ ସହିତ ଏକ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ। ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି ସମସ୍ତ ପଦକ୍ଷେପ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଓଡିଶାକୁ ଏକ ବୃହତ ଅଭିବୃଦ୍ଧି ପଥରେ ଆଗେଇ ନେବାକୁ ସକ୍ଷମ କରିବ।

Leave a Reply

Your email address will not be published. Required fields are marked *