ଦେଶ- ବିଦେଶ

ଚୀନକୁ ଚକମା ଦେଲା ଶ୍ରୀଲଙ୍କା: ଭାରତୀୟ କମ୍ପାନୀକୁ ଦେଲା ବିମାନବନ୍ଦର ପରିଚାଳନା ଦାୟିତ୍ୱ

କଲମ୍ବୋ: ଶ୍ରୀଲଙ୍କାର ହମ୍ବନଟୋଟାରେ ଥିବା ମଟାଲା ରାଜପକ୍ଷେ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ବର୍ତ୍ତମାନ ଏକ ଭାରତୀୟ ଏବଂ ଋଷ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଶ୍ରୀଲଙ୍କା କ୍ୟାବିନେଟ ଶୁକ୍ରବାର ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି। ଏହି ନିଷ୍ପତ୍ତି ଚୀନ୍ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ଶ୍ରୀଲଙ୍କା ସରକାରଙ୍କ ମୁଖପାତ୍ର ତଥା ମନ୍ତ୍ରୀ ବାନ୍ଦୁଲା ଗୁନାୱାର୍ଡେନା କହିଛନ୍ତି ଯେ କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିବାକୁ ଆମନ୍ତ୍ରଣ ଦିଆଯାଇଥିଲା। ଏହା ପରେ କ୍ୟାବିନେଟ ଉପଦେଷ୍ଟା କମିଟି ମଟାଲା ରାଜପକ୍ଷେ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନାକୁ ଭାରତର ସୌର୍ଯ୍ୟ ଏରୋନେଟିକ୍ସ (ପ୍ରାଇଭେଟ) ଲିମିଟେଡ୍ ଏବଂ ଋଷର ଏୟାରପୋର୍ଟସ ଅଫ୍ ରିଜିଓନ୍ସ ମ୍ୟାନେଜମେଣ୍ଟ କମ୍ପାନୀକୁ ୩୦ ବର୍ଷ ପାଇଁ ପରିଚାଳନା ଦାୟିତ୍ୱ ଦେଇଛି।

ସୂଚନା ଥାଉ କି ଯେ ଏହି ବିମାନବନ୍ଦର ନିର୍ମାଣ ପାଇଁ ଚୀନ୍ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଦେଇଥିଲା । ତେବେ ଏହା ଡ୍ରାଗନର ଏକ ପ୍ରମୁଖ ଷଡଯନ୍ତ୍ର ବୋଲି କୁହାଯାଇଥିଲା । ବାସ୍ତବରେ ଚୀନ୍ ଏହି ପ୍ରକଳ୍ପ ପାଇଁ ବହୁତ ସୁଧ ହାରରେ ଋଣ ଦେଇଥିଲା | ଚାଇନାର ଏକଜିମ ବ୍ୟାଙ୍କ ପ୍ରାୟ ୧୯୦ ନିୟୁତ ଡଲାର ଦେଇଥିଲା। ଏନେଇ ଅନେକ ବିଶେଷଜ୍ଞ ଆକଳନ କରିଥିଲେ ଯେ ଏହି ପ୍ରକଳ୍ପ ମାଧ୍ୟମରେ ଚୀନ ଶ୍ରୀଲଙ୍କାକୁ ଅନ୍ୟ ଏକ ବଡ଼ ଋଣ ଜାଲରେ ପକାଇ ଦେଇଛି। ସୂଚନା ଥାଉ କି ଯେ ଏହି ବିମାନବନ୍ଦର ୨୦୯ ନିୟୁତ ଆମେରିକୀୟ ଡଲାର ମୂଲ୍ୟରେ ନିର୍ମିତ ହୋଇଛି | ବିମାନ ଗମନାଗମନ ସେତେ ନଥିବାରୁ ବିମାନବନ୍ଦରରେ କ୍ଷତି ଘଟୁଥିଲା ଏବଂ ଏହାକୁ ବିଶ୍ୱର ସବୁଠାରୁ ଖାଲି ବିମାନବନ୍ଦର ଭାବରେ କୁହାଯାଇଥିଲା । ୨୦୧୬ ପରଠାରୁ ଶ୍ରୀଲଙ୍କା ସରକାର ବିମାନବନ୍ଦର ପରିଚାଳନା ପାଇଁ ସହଭାଗୀ ଖୋଜୁଥିଲେ, ଯାହା ବର୍ତ୍ତମାନ ଭାରତୀୟ କମ୍ପାନୀ ଦ୍ୱାରା ପରିଚାଳିତ ହେବ।

Leave a Reply

Your email address will not be published. Required fields are marked *