ରାଜ୍ୟ

ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ: ୪୦ ଡିଗ୍ରି ଉପରେ ୩୨ ସହର, ୪୪.୩ ଡିଗ୍ରିରେ ସିଝିଲେ ବୌଦ୍ଧବାସୀ

ଭୁବନେଶ୍ବର: ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୩୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୩ ଡିଗ୍ରି ଉପରେ ୧୦ଟି ସହର ଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି‌ ରେକର୍ଡ ହୋଇଛି। ସେହିପରି ବାରିପଦାରେ ପାରା ୪୪.୨ ଡିଗ୍ରି ପହଞ୍ଚିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଝାରସୁଗୁଡ଼ାରେ ୪୩.୮, ଅନୁଗୁଳରେ ୪୩.୭,  ଟିଟିଲାଗଡ଼ରେ ୪୩.୫, ବଲାଙ୍ଗୀର, ମାଲକାନଗିରି, ନୂଆପଡ଼ା, ଭବାନୀପାଟଣାରେ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ଚଳିତ ସପ୍ତାହରେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପ୍ରବଳ ଖରା ଆହୁରି ଦୁଇ ଦିନ ଜାରି ରହିବ। ମୁଣ୍ଡ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ଟାରୁ ଦିନ ୪ଟା ଭିତରେ ବାହାରକୁ ଯିବା ଅସମ୍ଭାଳ ହେଉଛି।‌ ଜରୁରୀ କାମ ନଥିଲେ ଲୋକେ ପଦାକୁ ବାହାରୁ ନାହାନ୍ତି। ମଧ୍ୟାହ୍ଣ ସମୟରେ ରାସ୍ତାଘାଟ ଖାଲିଖାଲି ଲାଗୁଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି ଯେ, ଖରା ଆହୁରି ୨ ଦିନ ଜାରି ରହିବ।

Leave a Reply

Your email address will not be published. Required fields are marked *