ରାଜ୍ୟ

ଆପ ନେତା ଅମାନତୁଲ୍ଲା ଖାଁ ଗିରଫ, ଓ୍ବାକଫ ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବାବେଳେ ଆମ ଆଦମି ପାର୍ଟି ପାଇଁ ଗୋଟିକ ପରେ ଗୋଟିଏ ବିପଦ ମାଡ଼ିଆସୁଛି । ଦଳର ବିଧାୟକ ଅମାନତୁଲ୍ଲା ଖାଁଙ୍କୁ ଇଡି ଗିରଫ କରିଛି। ୱାକଫ୍ ବୋର୍ଡ ନିଯୁକ୍ତି ଦୁର୍ନୀତିରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ କରାଯାଇଛି। ପ୍ରାୟ ୯ ଘଣ୍ଟାର ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ଅମାନତୁଲ୍ଲା  ଗୁରୁବାର (ଏପ୍ରିଲ ୧୮) ଇଡି ନିକଟରେ ପଚରାଉଚରା ପାଇଁ ହାଜର ହୋଇଥିଲେ।

ଅମାନତୁଲ୍ଲାଙ୍କ ବିରୋଧରେ ବେଆଇନ ଭାବେ ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଭାବେ ୩୨ ଜଣଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଏହା ସହ ସେମାନେ ବେଆଇନ ଭାବେ ଦିଲ୍ଲୀ ଓ୍ଵାକଫ ବୋର୍ଡର ଅନେକ ସମ୍ପତ୍ତି କୁ ଭଡ଼ାରେ ଦେଇଛନ୍ତି। ସେ ଦିଲ୍ଲୀ ଓ୍ଵାକଫ ବୋର୍ଡର ପାଣ୍ଠିର ଅପବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଦିଲ୍ଲୀ ଓ୍ଵାକଫ୍ ବୋର୍ଡର ତତ୍କାଳୀନ ସିଇଓ ଏଭଳି ବେଆଇନ ନିଯୁକ୍ତି ବିରୋଧରେ ଏକ ବିବୃତି ଜାରି କରିଥିଲେ। ଏହା ପରେ ମାମଲା ଇଡି ହାତକୁ ଯାଇଥିଲା ।

ଆପର ଅଧିକାଂଶ ବଡ଼ ନେତା ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି । ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ତେବେ ଦଳର ରାଜ୍ୟସଭା ସାଂସଦ ସଂଜୟ ସିଂ ନିକଟରେ ଜାମିନ ପାଇଁ ଆସିଛନ୍ତି ।

Leave a Reply

Your email address will not be published. Required fields are marked *