Uncategorized

ଇସ୍ରାଏଲ୍‌ ଇରାନ୍‌ ମୁହାଁମୁହିଁ : ଆଉ ଏକ ଯୁଦ୍ଧ ଭୟ

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ କ୍ଷେପଣାସ୍ତ୍ର ଆକ୍ରମଣ କରପାରେ ଇରାନ୍। ଏଥିପାଇଁ ଇରାନ୍‌ ଶତାଧିକ କ୍ଷେପଣାସ୍ତ୍ର ଓ ୧ ହଜାର ଡ୍ରୋନ୍‌ ପ୍ରସ୍ତୁତ ରଖିଥିବା ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଇସ୍ରାଏଲ ହାଇଆଲର୍ଟରେ ରହିଛି। ଅନ୍ୟପକ୍ଷରେ ଇରାନ୍‌ ଆକ୍ରମଣର ମୁକାବିଲା ପାଇଁ ଇସ୍ରାଏଲର ତୁହାକୁ ତୁହା ରଣନୀତିକ ବୈଠକ ଚାଲିଛି ଏବଂ ଆମେରିକା ଲଗାତାର ଇସ୍ରାଏଲ ସହ ସଂପର୍କରେ ରହିଛି। ‘ୱାଲ୍‌ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ଆଜି ପ୍ରକାଶିତ ରିପୋର୍ଟ ମୁତାବକ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ୍‌ ସବୁ ପ୍ରସ୍ତୁତି ଶେଷ କରିଛି ଏବଂ ଦୁଇ ଦିନ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ଏହି ଆକ୍ରମଣ ଆରମ୍ଭ ହୋଇଯାଇପାରେ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମେନିଙ୍କ ଜଣେ ପରାମର୍ଶଦାତା କହିଛନ୍ତି, ଇସ୍ରାଏଲକୁ ଏକ ଚରମ ଶିକ୍ଷା ଦେବାଲାଗି ଆକ୍ରମଣ ସଂକ୍ରାନ୍ତ ପ୍ରସ୍ତାବକୁ ମଂଜୁରି ମିଳିସାରିଛି। ଏହି ଆକ୍ରମଣର ସମସ୍ତ ସମ୍ଭାବ୍ୟ ବିପଦକୁ ଆକଳନ କରାଯାଇଛି ଏବଂ ସେହି ଅନୁସାରେ ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ମଧ୍ୟ ଇରାନ୍‌ ଯୋଗାଯୋଗରେ ଥିବା ସେ କହିଛନ୍ତି। ଇସ୍ରାଏଲ ନିକଟରେ ସିରିଆରେ କରିଥିବା ଆକ୍ରମଣରେ ଇରାନର ଜଣେ ଶୀର୍ଷ ଜେନେରାଲ ଏବଂ ଅନ୍ୟ ୬ ଜଣ ସାମରିକ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ୍‌ ଘୋଷଣା କରିବା ପରେ ଇସ୍ରାଏଲକୁ ସୁରକ୍ଷା ଦେବାପାଇଁ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନେ ତତ୍ପରତା ଦେଖାଇଛନ୍ତି। ଇରାନ୍‌ ଯଦି କୌଣସି ଗଣବିଧ୍ବଂସୀ ଅସ୍ତ୍ର ପ୍ରୟୋଗ କରିବ, ତା’ହେଲେ ଇସ୍ରାଏଲ ମଧ୍ୟ ସମାନ ଅସ୍ତ୍ରରେ ଏହାର ଜବାବ ଦେଇପାରେ ବୋଲି ସାମରିକ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

Leave a Reply

Your email address will not be published. Required fields are marked *