ମୁଖ୍ୟ ଖବର

ବୋକାରୋ ଷ୍ଟିଲ ପ୍ଲାଣ୍ଟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ନେଇ ଶ୍ରମିକଙ୍କ ପ୍ରତିକ୍ରିୟା

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ‘ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ର (ସେଲ୍‌) ‘ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌’ର (ବିଏସ୍‌ଏଲ୍‌)ର ହଟ ଷ୍ଟ୍ରିପ ମିଲରେ ଶନିବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକ‌ାଣ୍ଡରେ ୧୫ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ବୋକାରୋ ଷ୍ଟିଲର ଯୋଗାଯୋଗ ମୁଖ୍ୟ ମାଣିକାନ୍ତ ଧାନ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ କହିଛନ୍ତି, ଗ୍ୟାସ ପାଇପଲାଇନ ବନ୍ଦ ଥିଲା । ତେଣୁ କୌଣସି ପ୍ରକାର ଗ୍ୟାସ ଲିକ ହେଉ ନଥିଲା। ମରାମତି କାର୍ଯ୍ୟ ଚାଲିଥିଲା। ପାଇପଲାଇନକୁ କଟା ଯାଉଥିଲା। କାଟିବା ପାଇଁ ଯେଉଁ ମ୍ୟାସିନ ବ୍ୟବହାର ହୋଇଥିଲା ସେଥିରୁ ନିଆଁ ବାହାରି ପାଇପଲାଇନ ଭିତରେ ଜମା ଥିବା ନେପଥା ଓ ସଲଫର ସଂସ୍ପର୍ଶରେ ଆସିଥିଲା ଫଳରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ପାଇପଲାଇନ ମାଧ୍ୟମ‌ରେ ହଟ ଷ୍ଟ୍ରିପ ମିଲ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଘଟଣାର ଦୁଇଘଣ୍ଟା ମଧ୍ୟରେ ସ୍ଥିତିକୁ ଆୟତ୍ତକୁ ଅଣାଯାଇଥିଲା।

ଗତବର୍ଷ ଜୁନମାସରେ ବି ଝାଡ଼ଖଣ୍ଡର ବୋକାରୋସ୍ଥିତ ‘ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ର (ସେଲ୍‌) ‘ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌’ର (ବିଏସ୍‌ଏଲ୍‌) ‘ଷ୍ଟିଲ୍‌ ମେଲ୍‌ଟିଙ୍ଗ୍‌ ସପ୍‌’ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଉତ୍ତପ୍ତ ତରଳ ଧାତୁ ‘ଲିକ୍‌’ ହୋଇଥିବାରୁ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ , ‘ଷ୍ଟିଲ୍‌ ମେଲ୍‌ଟିଙ୍ଗ୍‌ ସପ୍‌-୨’ର ଟନ୍‌ଡିସ୍‌ କାର୍‌ ଓ ‘କାଷ୍ଟର୍‌-୨’ର ବହୁଳାଂଶ ପୋଡ଼ି ନଷ୍ଟ ହୋଇଯାଇଥିବା ବି ଖବର ମିଳିଥିଲା।

ସୂଚନାଯୋଗ୍ୟ, ୧୦,୦୦୦ ଏକର ଜମିରେ ଅବସ୍ଥିତ ଏହି ଇସ୍ପାତ କାରଖାନାରେ ପ୍ରାୟ ୧୦୦୦ ଶ୍ରମିକ କାର୍ଯ୍ୟ କରନ୍ତି।

Leave a Reply

Your email address will not be published. Required fields are marked *