ରାଜ୍ୟ

ମେ ୧୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କେଦାରନାଥ ମନ୍ଦିର

ନୂଆଦିଲ୍ଲୀ: ଜ୍ୟୋତିର୍ଲିଙ୍ଗ କେଦାରନାଥଙ୍କ ଭକ୍ତମାନଙ୍କ ପାଇଁ ଖୁସିଖବର । ଆସନ୍ତା ମେ ୧୦ ଅକ୍ଷୟ ତୃତୀୟାରେ ବାବା କେଦାରନାଥଙ୍କ ମନ୍ଦିର ଖୋଲିବାକୁ ଯାଉଛି ।

ଏହି ମନ୍ଦିରର କବାଟ ପ୍ରତିବର୍ଷ ଭାଇଦୂଜ ଦିନ ବନ୍ଦ ରହିଥାଏ ଏବଂ ୬ ମାସ ପରେ ଅକ୍ଷୟ ତୃତୀୟା ଦିନ କେଦାରନାଥ ଧାମର ଦ୍ୱାର ଖୋଲିବା ପାଇଁ ନିୟମ ରହିଛି । କେଦାରନାଥ ଧାମର ଦ୍ୱାର ଖୋଲିବା ପୂର୍ବରୁ କେଦାରନାଥଙ୍କ ପଞ୍ଚମୁଖୀ ଭୋଗ ମୂର୍ତ୍ତିପୂଜା କରାଯାଏ, ଯାହା କି ୨୦୨୪ ମସିହା ମେ ୫ ତାରିଖରେ ହେବ । ଓମକାରେଶ୍ୱର ମନ୍ଦିର ଉଖିମଠରେ ଏହି ପୂଜା ଅନୁଷ୍ଠିତ ହେବ। ମୂର୍ତ୍ତି ପୂଜା ପରେ ମେ ୯ ତାରିଖ ସନ୍ଧ୍ୟାରେ କେଦାରନାଥ ଧାମରେ ପହଞ୍ଚିବ ଏବଂ ଏହା ପରେ ମେ ୧୦ ତାରିଖରେ ରୀତିନୀତି ସହ କେଦାରନାଥ ଧାମର ଦ୍ୱାର ଖୋଲାଯିବ ।

ପ୍ରତିବର୍ଷ ମହାଶିବରାତ୍ରୀ ଦିନ ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଏ । କେଦାରନାଥ ଧାମର କବାଟ ଖୋଲିବା ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ତରଫରୁ ଅନେକ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ । ସୂଚନାଯୋଗ୍ୟ ଯେ, କେଦାରନାଥ ଧାମ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ, ଯାହା ହିନ୍ଦୁ ଧର୍ମର ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ପ୍ରବଳ ତୁଷାରପାତ ଏବଂ ଅପହଞ୍ଚ ରାସ୍ତା ଯୋଗୁଁ କେଦାରନାଥ ଧାମର କବାଟ ବର୍ଷର ୬ ମାସ ବନ୍ଦ ରହିଥାଏ ।

Leave a Reply

Your email address will not be published. Required fields are marked *