ରାଜ୍ୟ

ଚାଷୀଙ୍କୁ ଉପହାର: ସର୍ବବୃହତ ଶସ୍ୟ ସଂରକ୍ଷଣ ପାଇଲଟ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଉପହାର ପ୍ରଦାନ କରିଛନ୍ତି। ଶନିବାର ନୂଆଦିଲ୍ଲୀର ପ୍ରଗତି ମ‌ୈଦାନରେ ଥିବା ଭାରତ ମଣ୍ଡପମରେ ପୃଥିବୀର ସର୍ବବୃହତ ଶସ୍ୟ ସଂରକ୍ଷଣ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଯୋଜନା ଦେଶର ୧୧ଟି ରାଜ୍ୟର ୧୧ଟି ପ୍ରାଥମିକ କୃଷି ଋଣ ସମିତି(ପ୍ୟାକ୍ସ)ରେ ସଞ୍ଚାଳିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୮ ହଜାର ପ୍ୟାକ୍ସରେ କମ୍ପ୍ୟଟରିକରଣର ଶୁଭାରମ୍ଭ କରିଛନ୍ତି।ଏହା ସହିତ ଅତିରିକ୍ତ ୫୦୦ ପ୍ୟାକ୍ସରେ  ଶସ୍ୟ ସଂରକ୍ଷଣ  ଗୋଦାମର ଶିଳାନ୍ୟାସ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ, ଶସ୍ୟ ସଂରକ୍ଷଣ, ଶସ୍ୟ କ୍ରୟ ଏବଂ ପିଡ଼ିଏସ ପ୍ରଭୃତି ସୁବିଧା  ମିଳିବ। ପ୍ୟାକ୍ସ ଅନଲାଇନ ‌ହେବା ଦ୍ବାରା ସଂଚାଳନରେ ସୁବିଧା ସହିତ କାର୍ଯ୍ୟ ଦକ୍ଷତା, ସ୍ବଚ୍ଛତା ଏବଂ ଉତ୍ତରଦାୟୀ କ୍ଷେତ୍ରରେ ବହୁ ସୁଧାର ଆସି ପାରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଭାରତ ମଣ୍ଡପ ବିକଶିତ ଭାରତର ଅମୃତ ଯାତ୍ରାରେ ଆଉ ଏକ ସଫଳତାର ସାକ୍ଷୀ ହୋଇଛି। ଦେଶ ସହଯୋଗରୁ ସମୃଦ୍ଧତା ପାଇଁ ନେଇଥିବା ସଂକଳ୍ପକୁ ହୃଦୟଙ୍ଗମ କରିବା ଦିଗରେ ଆଜି ଆମେ ଆଗକୁ ବଢୁଛୁ। କୃଷି ଏବଂ ଚାଷର ମୂଳଦୁଆକୁ ମଜବୁତ କରିବାରେ ସହଯୋଗର ଶକ୍ତି ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଆମେ ଏକ ପୃଥକ ସହଯୋଗ ମନ୍ତ୍ରଣାଳୟ ଗଠନ କରିଛୁ।

ଆଜି ଆମେ ଆମର କୃଷକମାନଙ୍କ ପାଇଁ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ଆରମ୍ଭ କରିଛୁ। ଏହା ଅନ୍ତର୍ଗତ ଦେଶର କୋଣ ଅନୁକୋଣରେ ହଜାର ହଜାର ଗୋଦାମ ନିର୍ମାଣ କରାଯିବ। ଆଜି ୧୮ ହଜାର ପ୍ୟାକ୍ସର କମ୍ପ୍ୟୁଟରୀକରଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଏହି ସମସ୍ତ କାର୍ଯ୍ୟ ଦେଶର କୃଷି ଭିତ୍ତିଭୂମିକୁ ନୂତନ ବିସ୍ତାର କରିବ ଏବଂ କୃଷିକୁ ଆଧୁନିକ ଜ୍ଞାନକୌଶଳ ସହିତ ଯୋଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ସହଯୋଗ ଭାରତର ଏକ ପ୍ରାଚୀନ ବ୍ୟବସ୍ଥା। ଯଦି ଛୋଟ ଜିନିଷ ଏବଂ ସମ୍ବଳ ଏକାଠି ଯୋଡାଯାଏ ତେବେ ବଡ କାର୍ଯ୍ୟ ସମ୍ପନ୍ନ ହୋଇପାରିବ। ପ୍ରାଚୀନ ଗ୍ରାମ ବ୍ୟବସ୍ଥାରେ ସରକାରଙ୍କ ଦ୍ବାରା ଏହି ସ୍ୱୟଂଚାଳିତ ବ୍ୟବସ୍ଥା କାର୍ଯ୍ୟ କରିଆସୁଛି। ସହଯୋଗ କେବଳ ଏକ ବ୍ୟବସ୍ଥା ନୁହେଁ, ଏହା ଏକ ଅନୁଭବ। ଦେଶର ଅର୍ଥନୀତିକୁ ବିଶେଷ କରି ଗ୍ରାମାଞ୍ଚଳ ତଥା କୃଷି ଅର୍ଥନୀତିକୁ ନବୀକରଣ କରିବାର ଏହା ଏକ ପ୍ରାମାଣିକ ଉପାୟ।

Leave a Reply

Your email address will not be published. Required fields are marked *