ବିଶେଷ

ଅଁଳା: ଧାତ୍ରୀ ଓ ଅମୃତା

ଅଅଁଳା ବା ଅଁଳା ଗୋଟିଏ ଛୋଟ କୋଳି ବା ଫଳ। ଏହାର ସ୍ୱାଦ ଅଳ୍ପମିଠା ଓ ଖଟାମିଶା କଷା। କିନ୍ତୁ ସ୍ୱାଦ ମଧୁର ନହେଲେ ମଧ୍ୟ ଏହାର ଉପକାରିତା ଅନେକ।
ଅଁଳାର ଅନେକ ନାମ ମଧ୍ୟରୁ ଗୋଟିଏ ହେଉଛି ‘ଧାତ୍ରୀ’; କାରଣ ଏହା ଆମକୁ ଧାଈ ପରି ପାଳନ କରେ। ଏହାର ଆଉ ଗୋଟିଏ ନାମ ‘ଅମୃତା’; କାରଣ ଏହା ଆମର ଜୀବନୀଶକ୍ତିକୁ ସ୍ଫୂର୍ତ୍ତ କରେ। ଏହାର ଉପକାରିତା ଏତେ, ଯେ କାର୍ତ୍ତିକ ଶୁକ୍ଳ ନବମୀ ବା ଅଁଳା ନବମୀରେ ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥ ଅଁଳା ମାଳ ପିନ୍ଧିଥାଆନ୍ତି।
ଅଁଳାର ଉତ୍ପତ୍ତି କିପରି ହେଲା, ସେ ସଂପର୍କରେ ଗୋଟିଏ ଉପାଖ୍ୟାନ ଅଛି, ଯେ ଲକ୍ଷ୍ମୀ ଓ ସରସ୍ୱତୀ ଦୁହେଁ ଗୋଟିଏ ନୂଆ ପଦାର୍ଥରେ ପୂଜା କରିବାପାଇଁ ଚିନ୍ତା କରିବାରୁ ତାଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡ଼ିଲା। ସେହି ଆନନ୍ଦାଶ୍ରୁରୁ ଅଁଳାର ସୃଷ୍ଟି ହେଲା।
ଅନ୍ୟ ଏକ ଉପାଖ୍ୟାନ ଅନୁସାରେ, ଏକଦା ପାର୍ବତୀ ଓ ଲକ୍ଷ୍ମୀ ବଣଭୋଜି କରିବାକୁ ଯାଇଥିଲେ ଏବଂ ଖାଇ ବସିଲାବେଳକୁ ଦେଖାଗଲା, ଯେ ପାଣି ଛଡ଼ାଇବା ପାଇଁ ପାର୍ବତୀ ବେଲପତ୍ର ନେଇ ନାହାନ୍ତି କି ଲକ୍ଷ୍ମୀ ତୁଳସୀପତ୍ର ନେଇ ନାହାନ୍ତି। ସେହି ସମୟରେ ଦେବର୍ଷି ନାରଦ ସେଠାରେ ପହଞ୍ଚିଲେ ଏବଂ ସେଥିପାଇଁ ଅଁଳା ଫଳକୁ ବ୍ୟବହାର କରିବାକୁ କହିଲେ। ଏଥିରୁ ଅଁଳାର ମହତ୍ତ୍ୱ ପ୍ରଦିପାଦିତ ହୁଏ।

ଅଁଳା ଅନେକ ରୋଗର ମହୌଷଧୀ। ଅଁଳାଗଛର ମୂଳ, ଛାଲି, ଫଳ ଓ ପତ୍ର ବିଭିନ୍ନ ରୋଗର ନିରାକରଣରେ ଉପଯୋଗୀ ହୋଇଥାଏ। ଅଁଳାରେ ଜୀବସାର ‘ଗ’ ଭରପୂର ରହିଥାଏ। ଏହା ଶକ୍ତିଦାୟକ ଓ ରୋଗ ନିରୋଧକାରୀ। ଗବେଷଣାରୁ ଜଣାଯାଇଛି, ଯେ ଅଁଳା ଶ୍ୱେତ ରକ୍ତକଣିକା ବୃଦ୍ଧିରେ ସହାୟକ ହୋଇଥାଏ।

ଅଁଳା ଅନେକ ରୋଗର ମହୌଷଧୀ। ଅଁଳାଗଛର ମୂଳ, ଛାଲି, ଫଳ ଓ ପତ୍ର ବିଭିନ୍ନ ରୋଗର ନିରାକରଣରେ ଉପଯୋଗୀ ହୋଇଥାଏ। ଅଁଳାରେ ଜୀବସାର ‘ଗ’ ଭରପୂର ରହିଥାଏ। ଏହା ଶକ୍ତିଦାୟକ ଓ ରୋଗ ନିରୋଧକାରୀ। ଗବେଷଣାରୁ ଜଣାଯାଇଛି, ଯେ ଅଁଳା ଶ୍ୱେତ ରକ୍ତକଣିକା ବୃଦ୍ଧିରେ ସହାୟକ ହୋଇଥାଏ।
ପ୍ରତିଦିନ ପାଚିଲା ଅଁଳା ଫଳରୁ ୨ଟି କରି ଖାଇଲେ ଛଅ ମାସ ଭିତରେ ବର୍ଣ୍ଣ, କାନ୍ତି, ମେଧା ଓ ଶକ୍ତି ବୃଦ୍ଧି ହୋଇଥାଏ। ଅଁଳା ଛାଲିର କ୍ୱାଥ (୨-୩ଗ୍ରାମ୍‌)ରେ ୨-୩ ଗ୍ରାମ୍ ମେଥିଗୁଣ୍ଡ ମିଶାଇ ଦିନକୁ ଥରେ ଲେଖାଏଁ ୨-୩ ଦିନ ଖାଇଲେ ନାଳରକ୍ତ ଝାଡ଼ାର ଉପଶମ ହୁଏ। ପାଚିଲା ଅଁଳା ରସରୁ ୨-୩ ବୁନ୍ଦା ଦିନକୁ ଥରେ କିମ୍ବା ଦୁଇଥର କରି ଆଖିରେ ପକାଇଲେ ଆଖିଧରା ଆରମ୍ଭ ହେଉଥିଲେ ଭଲ ହୋଇଯାଏ। କୌଣସି ଚକ୍ଷୁରୋଗ ହୋଇଥିଲେ ଅଁଳାରସ ଦିନକୁ ଦୁଇ ଥର ପିଇଲେ ୧୦ରୁ ୧୫ ଦିନ ମଧ୍ୟରେ ରୋଗୀ ଉପଶମ ପାଇଥାଏ। ଅଁଳାକୁ ଲେମ୍ବୁରସ ସହ ପେଷି ୧/୨ ଗ୍ରାମ୍ ଲେଖାଏଁ ପ୍ରତିଦିନ (୭, ୮ ଦିନ ପର୍ଯ୍ୟନ୍ତ) ସେବନ କଲେ ଝାଡ଼ାରେ ରକ୍ତ ପଡ଼ିବା ବା ରକ୍ତଝାଡ଼ା ବନ୍ଦ ହୋଇଯାଏ। ଶୁଖିଲା ଅଁଳା ୮-୧୦ଟି ସହିତ ହଳଦୀ ୮-୧୦ଖଣ୍ଡ ବାଟି ପ୍ରତିଦିନ ତାହାକୁ ମୁଣ୍ଡରେ ଭଲ କରି ଲଗାଇ କେଶ ଶୁଖିଗଲା ପରେ ମୁଣ୍ଡକୁ ଧୋଇଲେ କେଶ କୋମଳ, ଚିକ୍କଣ ଓ କଳା ରଙ୍ଗ ହୁଏ। ଅଁଳା ଫଳକୁ ବାଟି ବ୍ରଣରେ ଲେପ ଦେଲେ ଅତି ଶୀଘ୍ର ବ୍ରଣ ଭଲ ହୋଇଯାଏ। କଞ୍ଚା ଅଁଳା ନମିଳିଲେ ଶୁଖିଲା ଅଁଳାରୁ ମଧ୍ୟ ଉପକାର ମିଳିଥାଏ।

Leave a Reply

Your email address will not be published. Required fields are marked *