ମୁଖ୍ୟ ଖବର

ପେଟିଏମ୍‌ ବ୍ୟାଙ୍କ ସଙ୍କଟ: ମାର୍ଚ୍ଚ ୧୫ ପରେ କାରବାର ବନ୍ଦ

ମୁମ୍ବାଇ: ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କକୁ ନେଇ ଗ୍ରାହକମାନେ ବେଶ ଚିନ୍ତିତ ହୋଇପଡ଼ିଥିବା ବେଳେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ମନରେ ରହିଥିବା ବିଭିନ୍ନ ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଛି। ୩୦ଟି ପ୍ରଶ୍ନର ଉତ୍ତର ସେଥିରେ ଦିଆଯାଇଛି। ଚଳିତ ମାସ ୨୯ ପରଠାରୁ ପେଟିଏମ୍ ବ୍ୟାଙ୍କ ଖାତାରେ ଜମା ଓ ଉଠାଣ ବନ୍ଦ ହେବ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ସେହି ସମୟ ସୀମାକୁ ଆଜି ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପରେ ବ୍ୟାଙ୍କର ଖାତାରେ କାରବାର କରିବା ସମ୍ଭବ ହେବନାହିଁ। ଖାତାରେ ଥିବା ବାଲାନ୍ସକୁ ବ୍ୟବହାର କରିହେବ। ସେଥିରେ କୌଣସି ପ୍ରକାରର ନୂଆ ପାଣ୍ଠି ଜମା କରାଯାଇପାରିବନି। ଏଭଳିକି ବେତନ ଓ ସବ୍‌ସିଡି ବି ଜମା ହୋଇପାରିବନି। ଚଳିତ ବର୍ଷ ମାର୍ଚ୍ଚ ୧୫ ପରେ ପେଟିଏମ୍ ବ୍ୟାଙ୍କର ଗ୍ରାହକମାନେ ଖାତାରେ ଥିବା ବାଲାନ୍ସ ଓ ନିଜ ପାଖରେ ଥିବା ଡେବିଟ୍‌ କାର୍ଡକୁ ପୂର୍ବଭଳି ବ୍ୟବହାର କରିପାରିବେ। କିନ୍ତୁ ସେଥିରେ କୌଣସି ପ୍ରକାର ଟଙ୍କା ଜମା ହୋଇପାରିବନି। ଏଭଳିକି ବେତନ ଓ ସବ୍‌ସିଡି ରାଶି ମଧ୍ୟ ମାର୍ଚ୍ଚ ୧୫ ପରେ ଖାତାରେ ଜମା ହୋଇପାରିବନି। ଅସୁବିଧା ଏଡ଼ାଇବା ଲାଗି ଗ୍ରାହକମାନେ ନିଜ ଖାତାକୁ ଅନ୍ୟ ବ୍ୟାଙ୍କରେ ଲିଙ୍କ୍‌ କରାଇପାରିବେ। ବିଦ୍ୟୁତ ବିଲ୍‌ କିମ୍ବା ସେଭଳି କୌଣସି ୟୁଟିଲିଟି ବିଲ୍ ଯଦି ସ୍ବୟଂକ୍ରିୟ ଭାବେ ପେଟିଏମ୍ ବ୍ୟାଙ୍କ ଖାତାରୁ କଟୁଥିଲା, ସେହି ସୁବିଧା ମାର୍ଚ୍ଚ ୧୫ ପରେ ବନ୍ଦ ହୋଇଯିବ। ଓଟିଟି ମାସିକ ସବସ୍କ୍ରିପ୍‌ସନ୍ ଫି’, ଋଣର ମାସିକ କିସ୍ତି (ଇଏମ୍‌ଆଇ) ସ୍ବୟଂକ୍ରିୟ ଭାବେ କଟିବା ସୁବିଧା ପେଟିଏମ୍ ବ୍ୟାଙ୍କ ଖାତାରେ ବାଲାନ୍ସ ଥିବା ପର୍ଯ୍ୟନ୍ତ ଜାରି ରହିବ।

ମାର୍ଚ୍ଚ ୧୫ ପରେ ସେହି ସୁବିଧା ଉପଲବ୍ଧ ହେବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଛି। ଗ୍ରାହକମାନେ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ ଖାତାରେ ବାଲାନ୍ସ ଥିବା ‌ପର୍ଯ୍ୟନ୍ତ ଆଧାରଭିତ୍ତିକ ପେମେଣ୍ଟ୍‌ ବ୍ୟବସ୍ଥା (ଏଇପିଏସ୍‌) ଓ ଭାରତ ବିଲ୍ ପେମେଣ୍ଟ୍‌ ସିଷ୍ଟମ୍‌ (ବିବିପିଏସ୍‌)କୁ ବ୍ୟବହାର କରିପାରିବେ। ମାର୍ଚ୍ଚ ୧୫ ପରେ କିନ୍ତୁ ଏହି କାରବାର ହୋଇପାରିବନି। ‘ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ’ ଖାତାରୁ ମାର୍ଚ୍ଚ ୧୫ ପରେ ୟୁପିଆଇ ଓ ଆଇଏମ୍‌ପିଏସ୍‌ ଜରିଆରେ ଟଙ୍କା ପଠାଇହେବନି। କିନ୍ତୁ ଖାତାରେ ବାଲାନ୍ସ ଥିବା ପର୍ଯ୍ୟନ୍ତ ସେହି ରାଶିକୁ ୟୁପିଆଇ ଓ ଆଇଏମ୍‌ପିଏସ୍‌ ଜରିଆରେ ଉଠାଇହେବ। ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି ଯେ ୨୦୨୨ ମାର୍ଚ୍ଚ ୧୧ରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ କୌଣସି ନୂଆ ଗ୍ରାହକ ଯୋଡ଼ିପାରିବନି।

ୱା‌ଲେଟ୍‌
ପେଟିଏମ୍ ୱାଲେଟ୍ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ସେଥିରେ ଥିବା ବାଲାନ୍ସକୁ ବ୍ୟବହାର କରିହେବ ଏବଂ ଅନ୍ୟ ବ୍ୟାଙ୍କକୁ ପଠାଇହେବ। କିନ୍ତୁ ମାର୍ଚ୍ଚ ୧୫ ପରେ ସେଥି‌ରେ ନୂଆ ପାଣ୍ଠି ଯୋଡ଼ାଯାଇପାରିବ ନାହିଁ। କେବଳ କ୍ୟାସ୍‌ବ୍ୟାକ୍ ଓ ରିଫଣ୍ଡ୍‌ ରାଶି ୱାଲେଟ୍‌ରେ ସାମିଲ ହୋଇପାରିବ। ଗ୍ରାହକମାନେ ଚାହିଲେ ନିଜ ପେଟିଏମ୍ ୱାଲେଟ୍‌କୁ ବନ୍ଦ କରିବା ଲାଗି ଅନୁରୋଧ କରିପାରିବେ ଏବଂ ସେଥିରେ ଥିବା ଟଙ୍କା ଅନ୍ୟତ୍ର ନେଇପାରିବେ।
ଫାସ୍‌ଟ୍ୟାଗ୍‌
ପେଟିଏମ୍ ପେମେଣ୍ଟ୍‌ ବ୍ୟାଙ୍କରୁ ଫାସ୍‌ଟ୍ୟାଗ୍ କିଣିଥିବା ଗ୍ରାହକମାନେ ତାହାର ସ୍ଥିତିକୁ ଆଇଏଚ୍‌ଏମ୍‌ସିଏଲ୍‌ର ୱେବସାଇଟ୍‌ https://ihmcl.co.inରୁ ଜାଣିପାରିବେ। ଫାସ୍‌ଟ୍ୟାଗ୍ ଆକାଉଣ୍ଟ୍‌ରେ ବାଲାନ୍ସ ଥିବା ପର୍ଯ୍ୟନ୍ତ ତାହାକୁ ବ୍ୟବହାର କରିହେବ। କିନ୍ତୁ ମାର୍ଚ୍ଚ ୧୫ ପରେ ତାହାକୁ ରିଚାର୍ଜ କରାଯାଇପାରିବ ନାହିଁ। ତେଣୁ ସମସ୍ୟା ଏଡ଼ାଇବା ଲାଗି ମାର୍ଚ୍ଚ ୧୫ ପୂର୍ବରୁ ଅନ୍ୟ ବ୍ୟାଙ୍କରୁ ଫାସଟ୍ୟାଗ୍ କିଣିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି। ପେଟିଏମ୍ ଫାସ୍‌ଟ୍ୟାଗ୍‌ ଆକାଉଣ୍ଟ୍‌ରେ ଥିବା ବାଲାନ୍ସକୁ ଗ୍ରାହକ ଅନ୍ୟତ୍ର ପଠାଇପାରିବେ ନାହିଁ। ସେହି ସୁବିଧା ଉପଲବ୍ଧ ନାହିଁ। କିନ୍ତୁ ଟଙ୍କା ରିଫଣ୍ଡ୍‌ ପାଇବା ଲାଗି ଗ୍ରାହକମାନେ ବ୍ୟାଙ୍କକୁ ଅନୁରୋଧ କରିପାରିବେ।
କ୍ୟୁଆର୍‌ କୋଡ୍
ଯେଉଁ ବ୍ୟବସାୟୀମାନେ ପେଟିଏମ୍‌ କ୍ୟୁଆର୍‌ କୋଡ୍‌ ଜରିଆରେ ପେମେଣ୍ଟ୍‌ ପାଉଛନ୍ତି, ଯଦି ସେମାନଙ୍କ ବ୍ୟାଙ୍କ ପେଟିଏମ୍ ଭିନ୍ନ ଅନ୍ୟ କିଛି ହୋଇଥିବ ତେବେ ସେମାନେ ମାର୍ଚ୍ଚ ୧୫ ପରେ ମଧ୍ୟ ‌ପେମେଣ୍ଟ୍‌ ହାସଲ କରିପାରିବେ। କ୍ୟୁଆର୍‌ କୋଡ୍‌ ସହ ପେଟିଏମ୍ ବ୍ୟାଙ୍କ ଖାତା ଲିଙ୍କ୍‌ ହୋଇଥିଲେ ମାର୍ଚ୍ଚ ୧୫ ପରେ ପେମେଣ୍ଟ୍ ହାସଲ କରିହେବନି।
ଏନ୍‌ଏଚ୍‌ଏଆଇ ଫାସ୍‌ଟ୍ୟାଗ୍ ତାଲିକାରୁ ନାମ ହଟିଲା
ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍‌ଏଆଇ) ଫାସ୍‌ଟ୍ୟାଗ୍‌ ଜାରି କରୁଥିବା ବ୍ୟାଙ୍କଗୁଡ଼ିକର ତାଲିକାରୁ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କକୁ ହଟାଇ ଦେଇଛି।

Leave a Reply

Your email address will not be published. Required fields are marked *