ମନୋରଞ୍ଜନମୁଖ୍ୟ ଖବର

ଲୋକସଭାରେ ଥରଟିଏ ବି ମୁହଁ ଖୋଲିନାହାନ୍ତି ସନ୍ନି ଦେଓଲ, ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ଗତ ଫେବ୍ରୁଆରି ୧୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିବା ସପ୍ତଦଶ ଲୋକସଭାର ସମଗ୍ର କାର୍ଯ୍ୟକାଳରେ ଅଭିନେତା-ରାଜନେତା ସନ୍ନି ଦେଓଲ ଓ ଶତ୍ରୁଘ୍ନ ସିହ୍ନାଙ୍କ ସମେତ ୯ ଜଣ ସାଂସଦ ଆଦୌ କିଛି କହି ନ ଥିଲେ। ତେବେ ଗୁରୁଦାସପୁରରୁ ପ୍ରଥମ ଥର ସାଂସଦ ହୋଇଥିବା ସନ୍ନି ଦେଓଲ ଏହି ପାଞ୍ଚ ବର୍ଷ ମଧ୍ୟରେ କିଛି ଲିଖିତ ଯୁକ୍ତି ଉପସ୍ଥାପନ କରିଛନ୍ତି। ଶତ୍ରୁଘ୍ନ ସିହ୍ନା ତାହା ବି କରିନଥିଲେ। ଲୋକସଭା ରେକର୍ଡରୁ ଜଣାପଡିଛି ଯେ ୫୪୩ ସାଂସଦଙ୍କ ମଧ୍ୟରୁ ମାତ୍ର ୯ ଜଣ (ଶାସକ ବିଜେପିର ୬ ଜଣ, ଟିଏମ୍‌ସିର ୨ ଜଣ ଏବଂ ବିଏସପିର ଜଣେ) ପାଞ୍ଚ ବର୍ଷ ମଧ୍ୟରେ ଗୃହରେ କୌଣସି ବିତର୍କ କିମ୍ବା ଆଲୋଚନାରେ ଅଂଶଗ୍ରହଣ କରିନାହାନ୍ତି।

ଏହି ସାଂସଦମାନେ ହେଲେ: ବିଜେପିର ରମେଶ ଚାନ୍ଦପ୍ପା (ବିଜାପୁର , କର୍ଣ୍ଣାଟକ); ବର୍ତ୍ତମାନ ଜେଲରେ ଥିବା ବିଏସ୍‌ପି ସାଂସଦ ଅତୁଲ କୁମାର ସିଂହ (ଘୋସି, ୟୁପି), ଟିଏମ୍‌ସିର ଦିବ୍ୟେନ୍ଦୁ ଅଧିକାରୀ (ତାମଲୁକ, ପଶ୍ଚିମବଙ୍ଗ),ବିଜେପିର ବିଏନ୍ ବାଚେଗୌଡ଼ା (ଚିକ୍କାବଲ୍ଲାପୁର, କର୍ଣ୍ଣାଟକ),ବିଜେପିର ପ୍ରଧାନ ବରୁଆ (ଲକ୍ଷ୍ମୀପୁର, ଆସାମ), ବିଜେପିର ସନ୍ନି ଦେଓଲ (ଗୁରୁଦାସପୁର, ପଞ୍ଜାବ), ବିଜେପିର ଅନନ୍ତ କୁମାର ହେଗଡେ (ଉତ୍ତର କନ୍ନଡ଼, କର୍ଣ୍ଣାଟକ), ବିଜେପିର ଭି ଶ୍ରୀନିବାସ ପ୍ରସାଦ (ଚାମରାଜନଗର ଏସ୍‌ସି, କର୍ଣ୍ଣାଟକ) ଏବଂ ଟିଏମ୍‌ସିର ଶତ୍ରୁଘ୍ନ ସିହ୍ନା (ଆସାନସୋଲ, ପଶ୍ଚିମବଙ୍ଗ)।

ସିହ୍ନା ୨୦୨୨ ଏପ୍ରିଲ ୧୬ରେ ଏକ ଉପନିର୍ବାଚନରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଦେଓଲ ଲୋକସଭାରେ ପ୍ରଶ୍ନକାଳ, ଶୂନ୍ୟକାଳ କାର୍ଯ୍ୟ କିମ୍ବା ବିତର୍କରେ ଭାଗ ନେଇ ନ ଥିଲେ। ବାଚସ୍ପତି ଓମ୍ ବିର୍ଲା ନୀତି ଅନୁଯାୟୀ ପ୍ରଥମ ଥର ସାଂସଦଙ୍କୁ ନିମ୍ନ ସଦନରେ ପ୍ରଥମେ ଭାଷଣ ଦେବାକୁ ଆହ୍ୱାନ ଦେଇଥିଲେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଚସ୍ପତି ବିର୍ଲା ସନ୍ନି ଦେଓଲଙ୍କୁ ଦୁଇ ଥର ଫୋନ୍ କରି ଗୃହରେ ଯେ କୌଣସି ପ୍ରସଙ୍ଗରେ କହିବାକୁ ଅନୁରୋଧ କରିଥିଲେ। କିନ୍ତୁ କୌଣସି ସଫଳତା ମିଳି ନ ଥିଲା। ଉପରୋକ୍ତ ୯ ଜଣ ସାଂସଦଙ୍କ ମଧ୍ୟରୁ ସନ୍ନି ଦେଓଲଙ୍କ ସମେତ ୬ ଜଣ ଶୂନ୍ୟକାଳର ପ୍ରସଙ୍ଗରେ କିଛି ଲିଖିତ ଯୁକ୍ତି ଉପସ୍ଥାପନ କରିଥିଲେ, ତାରକା ଓ ଅଣତାରକା ପ୍ରଶ୍ନ କରିଥିଲେ, କିନ୍ତୁ ସେମାନେ କିଛି କହି ନ ଥିଲେ। ଅବଶିଷ୍ଟ ତିନି ଜଣ (ଶତ୍ରୁଘ୍ନ ସିହ୍ନା, ଅତୁଲ ସିଂହ ଏବଂ ରମେଶ ଚାନ୍ଦପ୍ପା) ସପ୍ତଦଶ ଲୋକସଭାରେ ଲିଖିତ କିମ୍ବା ମୌଖିକ ରୂପରେ ଅଂଶଗ୍ରହଣ କରି ନ ଥିଲେ।

Leave a Reply

Your email address will not be published. Required fields are marked *