ଦେଶ- ବିଦେଶ

ଖୁବ୍‌ ଶୀଘ୍ର ପିୟୋଙ୍ଗ୍‌ୟାଙ୍ଗ୍‌ ଗସ୍ତରେ ଆସିବେ ପୁଟିନ୍‌: ଉତ୍ତର କୋରିଆ

ସିଓଲ୍‌: ଖୁବ୍‌ ଶୀଘ୍ର ଉତ୍ତର ପିୟୋଙ୍ଗ୍‌ୟାଙ୍ଗ୍‌ ଗସ୍ତରେ ଆସିବାକୁ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆଗ୍ରହ ପ୍ରକାଶ କରିଥିବା କଥା ଆଜି ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି।ବୈଦେଶିକ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କଠାରୁ ସୂଚନା ସଂଗ୍ରହ କରି ‘କେସିଏନ୍‌ଏ’ କହିଛି, ଗତ ସପ୍ତାହରେ ରୁଷ୍‌ ଗସ୍ତ କରିଥିବା ଉତ୍ତର କ‌ୋରିଆର ବୈଦେଶିକ ମନ୍ତ୍ରୀ ଚୋ ସନ୍‌ ହ୍ବେଙ୍କ ସହିତ ସାକ୍ଷାତ ବେଳେ ପୁଟିନ୍‌ ନିମନ୍ତ୍ରଣ ଲାଗି କିମ୍ ଜଙ୍ଗ୍‌ ଉନ୍‌ଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

ରିପୋର୍ଟରେ ଉଲ୍ଲେଖ ଅଛି, ୟୁକ୍ରେନ୍‌ ଯୁଦ୍ଧରେ ସମର୍ଥନ ଓ ସହଯୋଗ ଲାଗି ରୁଷ୍‌ ଉତ୍ତର କୋରିଆକୁ ଧନ୍ୟବାଦ ଜଣାଇଛି। ଏହାଛଡ଼ା, ପିୟୋଙ୍ଗ୍‌ୟାଙ୍ଗ୍‌ର ସାର୍ବଭୌମ ଅଧିକାର କ୍ଷୁଣ୍ଣ କରିବା ଲାଗି ଆମେରିକା ଓ ତା’ର ମିତ୍ର ଦେଶମାନେ ଚଳାଇଥିବା କ୍ରୋଧ ଉଦ୍ରେକକାରୀ କାର୍ଯ୍ୟ ଉପରେ ଦୁହେଁ ଉଦ୍‌ବେଗ ପ୍ରକାଶ କରିଥିଲେ। ଆଞ୍ଚଳିକ ବ୍ୟାପାରରେ ଉଭୟ ଉଭୟଙ୍କୁ ସହଯୋଗ କରିବେ ବୋଲି ମଧ୍ୟ ସହମତ ହୋଇଛନ୍ତି।

ଜାତିସଂଘ ‘ଚାର୍ଟର୍‌’ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ଆଇନ ଅନୁଯାୟୀ ପିୟୋଙ୍ଗ୍‌ୟାଙ୍ଗ୍‌ ଓ ମସ୍କୋ ମଧ୍ୟରେ ସହଯୋଗ ରକ୍ଷା କରାଯିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *