ଦେଶ- ବିଦେଶ

ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ବିଶେଷ ନବବର୍ଷ ବାର୍ତ୍ତା

ମସ୍କୋ: ବିଶ୍ବରେ କଠିନ ଆନ୍ତର୍ଜାତିକ ପରିସ୍ଥିତି ସୃଷ୍ଟି ହୋଇଥିବା ସତ୍ତ୍ବେ ଭାରତ ଓ ରୁଷ୍‌ ମଧ୍ୟରେ ଥିବା ସମ୍ପର୍କ ଆହୁରି ଉନ୍ନତ ହୋଇଥିବା କଥା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଶନିବାର ଦିନ ପଠାଇଥିବା ନବବର୍ଷ ବାର୍ତ୍ତାରେ କହିଛନ୍ତି।ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ପ୍ରତି ଲେଖାଯାଇଥିବା ଏହି ବାର୍ତ୍ତାରେ ଉଲ୍ଲେଖ ଅଛି: କଠିନ ଆନ୍ତର୍ଜାତିକ ପରିସ୍ଥିତି ସତ୍ତ୍ବେ ରୁଷ୍‌ ଓ ଭାରତ ମଧ୍ୟରେ ଥିବା ବିଶେଷ ଓ ସମୃଦ୍ଧ ଦ୍ବିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଉନ୍ନତି ଅବ୍ୟାହତ ରହିଛି। ବିଦାୟୀ ବର୍ଷରେ ବାଣିଜ୍ୟ ମଧ୍ୟ ଆଶାତୀତ ଭାବେ ଅଧିକ ହୋଇଛି ଓ ବିଭିନ୍ନ କ୍ଷେତ୍ରରେ ଥିବା ମିଳିତ ପ୍ରକଳ୍ପର ସଫଳ ପ୍ରଣୟନ କରାଯାଇଛି।

ବହୁମୁଖୀ ଦ୍ବିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ଓ ବୈଶ୍ବିକ ସ୍ତରରେ ସୁରକ୍ଷା ଓ ସ୍ଥିରତା ସୁଦୃଢ଼ କରିବା ଲାଗି ଦୁଇ ଦେଶର ସମ୍ମିଳିତ ଉଦ୍ୟମ ଉପରେ ମଧ୍ୟ ରାଷ୍ଟ୍ରପତି ପୁଟିନ୍‌ ଶୁଭେଚ୍ଛା ବାର୍ତ୍ତାରେ ଗୁରୁତ୍ବାରୋପ କରିଛନ୍ତି।

ବିଦାୟୀ ବର୍ଷରେ କେତେକ ଉଲ୍ଲେଖନୀୟ ଘଟଣା ଓ ଭାରତ-ରୁଷ୍‌ ଦ୍ବିପାକ୍ଷିକ ସହଯୋଗ ସଂକ୍ରାନ୍ତରେ ମଧ୍ୟ ରୁଷୀୟ ରାଷ୍ଟ୍ରପତି ଗୁରୁତ୍ବାରୋପ କରିଛନ୍ତି। ଶୁଭେଚ୍ଛା ବାର୍ତ୍ତାରେ ସେ ‘ସାଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’ ଓ ‘ଜି୨୦’ରେ ଭାରତର ଅଧ୍ୟକ୍ଷତାକୁ ପ୍ରସଂଶା କରିଛନ୍ତି।

ଏଥିସହିତ ରାଷ୍ଟ୍ରପତି ପୁଟିନ୍‌ ବେଲାରୁଷ୍‌, ତାଜିକିସ୍ତାନ, ଆଜେର୍‌ବୈଜାନ୍‌, ଉଜ୍‌ବେକିସ୍ତାନ, ବ୍ରାଜିଲ୍‌, ଦକ୍ଷିଣ ଆଫ୍ରିକା, ତୁର୍କୀ ଓ ଅନ୍ୟାନ୍ୟ ଦେଶର ବୈଦେଶିକ ମୁଖ୍ୟ ଓ ସରକାରଙ୍କ ନିକଟକୁ ବଡ଼ଦିନ ଓ ନବବର୍ଷ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *