ଦେଶ- ବିଦେଶ

ଏଥର ନୂଆବର୍ଷ ପାଳିବେନି ପାକିସ୍ତାନବାସୀ

ନୂଆଦିଲ୍ଲୀ: ଗାଜା ଓ ୱେଷ୍ଟ ବ୍ୟାଙ୍କରେ ପାଲିଷ୍ଟେନୀୟମାନଙ୍କୁ ଗଣହତ୍ୟା କରାଯାଉଥିବାରୁ, ବିଶେଷକରି ନିରୀହ ଓ ନିଷ୍ପାପ ଶିଶୁ ଏଥିରେ ଥିବାରୁ ପାକିସ୍ତାନ ଚଳିତବର୍ଷ ୨୦୨୪ର ନୂଆବର୍ଷ ଉତ୍ସବ ଦେଶରେ ପାଳନ କରିବ ନାହିଁ। ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱରୁଲ ହକ୍‌ କକର ଏହି ଘୋଷଣା କରିଛନ୍ତି। ନୂଆବର୍ଷ ଉତ୍ସବ ସପଂର୍କିତ ସମସ୍ତ କାର୍ଯ୍ୟକ୍ରମ ନିଷିଦ୍ଧ ବୋଲି ସେ କହିଛନ୍ତି। ପାଲିଷ୍ଟେନୀୟମାନଙ୍କ ସହ ସହାନୁଭୂତି ପ୍ରକାଶ କରିବା ପାଇଁ ଏହା କରାଯିବ। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଗାଜା ଓ ୱେଷ୍ଟବ୍ୟାଙ୍କରେ ହୋଇଥିବା ଗଣସଂହାର ପାଇଁ ଦେଶ ଏବଂ ମୁସଲିମ ଭ୍ରାତୃତ୍ବ ଗଭୀର ଭାବେ ମର୍ମାହତ।ଚଳିତବର୍ଷ ଅକ୍ଟୋବର ୭ ତାରୁ ବର୍ତ୍ତମାନ ସୁଦ୍ଧା ୨୧ ହଜାରରୁ ଅଧିକ ନିରୀହ ପାଲିଷ୍ଟେନୀୟ ଇସ୍ରାଏଲୀ ସେନାଙ୍କ ଜଘନ୍ୟ ଆକ୍ରମଣରେ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୯ ହଜାର ଶିଶୁ ରହିଛନ୍ତି ବୋଲି କକର କହିଛନ୍ତି। ଗାଜାବାସୀଙ୍କ ପ୍ରତି ସହାନୁଭୂତି ପ୍ରକାଶ ସହିତ ନୂଆବର୍ଷର ଆରମ୍ଭକୁ ନିରାଡମ୍ବର ଭାବେ ପାଳନ କରିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ପାଲେଷ୍ଟାଇନର ଦୃଢ଼ ସମର୍ଥକ ଏବଂ ଇସ୍ରାଏଲରେ ହମାସର ଆତଙ୍କବାଦୀ ଆକ୍ରମଣ ଏବଂ ଇସ୍ରାଏଲର ନାଗରିକମାନଙ୍କୁ ପଣବନ୍ଦୀ ରଖିବାକୁ ଯଥାର୍ଥ ବୋଲି କହି ଆସୁଛି। ପାଲିଷ୍ଟେନୀୟଙ୍କ ପାଇଁ ପାକିସ୍ତାନ ଦୁଇଟି ପର୍ଯ୍ୟାୟରେ ରିଲିଫ ସାମଗ୍ରୀ ପ୍ରେରଣ କରିଛି। ତୃତୀୟ ପର୍ଯ୍ୟାୟ ରିଲିଫ ସାମଗ୍ରୀ ଶୀଘ୍ର ଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *