ମୁଖ୍ୟ ଖବର

ପୁଲଓ୍ବାମାରେ ୩ ସଂଦିଗ୍ଧ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ପୁଲଓ୍ଵାମାରେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବର୍ତ୍ତମାନ ପୁଲିସ ଓ ସେନା ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛନ୍ତି।ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ପୁଲୱାମାର ପାଞ୍ଜୁ ଓ ଗାମିରାଜରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା । ଏଥିସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରାଯାଇଛି। ଜମ୍ମୁ-କଶ୍ମୀର ପୁଲିସ ସହ ମିଳିତ ତଦନ୍ତ ଜାରି ରହିଛି।

ସୂଚନାଥାଉ କି, ଗୁରୁବାର ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ସେନା ଯବାନଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୪ ଜଣ ଯବାନ ସହିଦ ହୋଇଥିଲେ।

ଅନ୍ୟପକ୍ଷରେ ଗୁଇନ୍ଦା ଏଜେନ୍ସିମାନେ ଦେଇଥିବା ରିପୋର୍ଟ ଅନୁସାରେ କ୍ରମାଗତ ଅନୁପ୍ରବେଶ ଉଦ୍ୟମ ବିଫଳ ହେଉଥିବା ଦେଖି ଆଇଏସଆଇ ଅଣ୍ଡରଗ୍ରାଉଣ୍ଡ ଆତଙ୍କବାଦୀଙ୍କୁ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଏହାର ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ସାଧାରଣ ନାଗରିକଙ୍କ ଭଳି ଦୀର୍ଘ ଦିନ ଧରି ଉପତ୍ୟକା ଓ ଜମ୍ମୁ ଅଞ୍ଚଳରେ ରହୁଥିବା ଆତଙ୍କବାଦୀଙ୍କୁ ସକ୍ରିୟ କରି ସେନା ବାହିନୀ ଉପରେ ଆକ୍ରମଣ କରିବାକୁ ଆଇଏସଆଇ ଯୋଜନା କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *