ରାଜ୍ୟ

୧୦ଲକ୍ଷ ଟଙ୍କାର ନକଲି ଗୁଟକା ଜବତ, ୩ ଗିରଫ

ବ୍ରହ୍ମପୁର,୨୯/୯/୨୩(ମନୋଜ କୁମାର ପାତ୍ର): ଗୋଳନ୍ଥରା ଥାନା ଅନ୍ତର୍ଗତ ତୁଳସୀବିହାର-ରାଳବ ରାସ୍ତା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ନକଲି ଗୁଟ୍‌ଖା କାରଖାନା ଉପରେ ପୁଲିସ ଚଢଉ କରିଥିବା ସୂଚନା ମିଳିଛି। ଏଥିରେ ୧୦ ଲକ୍ଷ ଟଙ୍କାର ନକଲି ଗୁଟ୍‌ଖା ସହ ଗୁଟ୍‌ଖା ପ୍ରସ୍ତୁତି ସାମଗ୍ରୀ ପୁଲିସ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ କାଶୀନଗର ସାହିର ନିରଞ୍ଜନ ପ୍ରଧାନ(୨୭), ପାଣିଗ୍ରାହୀପେଣ୍ଠ ସାହିର ରାମଚନ୍ଦ୍ର ଦାସ(୪୦) ଓ ରେଡିକା ସାହିର କେ.ଶ୍ରୀରାମୁଲୁ ରେଡି(୪୩)। ଏ ସଂକ୍ରାନ୍ତରେ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌. ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ମାନେ ଦୀର୍ଘ ୩ ମାସ ଧରି ଉପରୋକ୍ତ ସ୍ଥାନରେ ନକଲି ଗୁଟ୍‌ଖା ପ୍ରସ୍ତୁତି କରୁଥିଲେ।ପରେ ଏହି ନକଲି ଗୁଟ୍‌ଖାକୁ ଅଭିଯୁକ୍ତମାନେ ସହର ଓ ସହର ଉପକଣ୍ଠରେ ଥିବା ବିଭିନ୍ନ ପାନ ଦୋକାନରେ ବିକ୍ରି କରୁଥିଲେ।କିନ୍ତୁ ଏଠାରେ ନକଲି ଗୁଟକା ପ୍ରସ୍ତୁତି ହେଉଥିବା ନେଇ କୌଣସି ଏକ ବିଶେଷ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢଉ କରି ପ୍ୟାକିଂ ଜିନିଷ, ଗୁଟ୍‌ଖା, ମିକ୍ସର ମେସିନ୍‌ ସହ ଗୋକୁଳ ଡିଲକ୍ସ ଗୁଟ୍‌ଖା, ଖାଲି ପାଉଚ ଇତ୍ୟାଦି ଜବତ କରିବାରେ ପୋଲିସ କୁ ସଫଳତା ମିଳିଛି । ଜବତ ଗୁଟକା ର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଗୋଳନ୍ଥରା ଥାନାରେ କେସ୍ ନଂ ୪୮୧/୨୩ ପ୍ରକାରେ ମାମଲା ରୁଜୁ କରାଯାଇ ୟୁ/ସି- ୪୨୦/୨୭୨/୨୭୩/୩୪ ଆଇପିସି ଧାରା ଅନୁସାରେ ଅଭିଯୁକ୍ତ ଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *