ରାଜ୍ୟ

ଟ୍ରେନ୍‌ରେ ଚଢ଼ିବା ବେଳେ ତଳକୁ ଖସିପଡ଼ିଲେ ମହିଳା; ଟାଣି ଆଣି ଜୀବନ ରକ୍ଷା କଲେ ସଜାଗ ପୁଲିସ

ହାଓଡ଼ା: ପଶ୍ଚିମବଙ୍ଗର ହାଓଡ଼ା ଷ୍ଟେସନ୍‌ରେ ଟ୍ରେନ୍‌ରେ ଚଢ଼ିବା ବ‌େଳେ ଗୋଡ଼ ଖସିଯିବାରୁ ତଳେ ପଡ଼ିଯାଇଥିବା ଜଣେ ମହିଳାଙ୍କୁ ସେଠାରେ ଉପସ୍ଥିତ ଥିବା ଜଣେ ପୁଲିସ କନେଷ୍ଟବଳ ଟାଣି ଆଣି ନିଶ୍ଚିତ ମୃତ୍ୟୁରୁ ବଞ୍ଚାଇ ଦେଇଛନ୍ତି।ଘଟଣାର ଦୃଶ୍ୟାବଳି ହାଓଡ଼ା ଷ୍ଟେସନ୍‌ର ପୁରାତନ ପରିସରରେ ଲାଗିଥିବା ‘ସିସିଟିଭି’ କ୍ୟାମେରାରେ ଉତ୍ତୋଳିତ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନ ୧୦.୫୦ରେ ୪୦ ବର୍ଷୀୟ ଫତିମା ଖାତୁନ୍‌ ଓ ତାଙ୍କର ଜଣେ ଆତ୍ମୀୟ ୪ ନମ୍ବର ପ୍ଲାଟ୍‌ଫର୍ମରୁ ଛାଡୁଥିବା ହାଓଡ଼ା-ତାରକେଶ୍ବର ଲୋକାଲ୍‌ ଟ୍ରେନ୍‌ରେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ଫୁଟେଜ୍‌ରେ ଦେଖାଯାଉଛି, ଦୁହେଁ ଟ୍ରେନ୍‌ ଚଢ଼ିବାକୁ ତରବର ହେଉଥିବା ବେଳେ ଫତିମା ସ୍ବଳ୍ପ ସମୟ ପାଇଁ ଟ୍ରେନ୍‌ ‘ଡୋର୍‌’ରେ ଝୁଲି ରହିଛନ୍ତି। କିନ୍ତୁ, ତାଙ୍କ ଆତ୍ମୀୟଜଣକ ନିଜେ ଟ୍ରେନ୍‌ରେ ପ୍ରବେଶ କରିବା ଲାଗି ‘ଡୋର୍‌’ରେ ଝୁଲି ରହିଥିବା ଫତିମାଙ୍କୁ ଟ୍ରେନ୍‌ ଭିତରକୁ ଠେଲି ଦେଉଛନ୍ତି। ଫଳରେ ଭାରସାମ୍ୟ ହରାଇ ଫତିମା ଟ୍ରେନ୍‌ରୁ ଖସି ପ୍ଲାଟ୍‌ଫର୍ମରେ ପଡ଼ିଯାଉଛନ୍ତି।

ସେତିକି ବେଳେ ଟ୍ରେନ୍‌ର ବେଗ ବଢ଼ିବାରୁ ଫତିମା ଟ୍ରେନ୍‌ ଓ ପ୍ଲାଟ୍‌ଫର୍ମ ମଝିରେ ଥିବା ଫାଙ୍କରେ ଅଟକି ରହିଗଲେ। ଅବଶ୍ୟ ତାଙ୍କ ଆତ୍ମୀୟଜଣକ ତାଙ୍କୁ ସେଠାରୁ ଟାଣି ବାହାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

ଏହା ଦେଖି  ଅଳ୍ପ ଦୂରରେ ଡିୟୁଟି କରୁଥିବା ରେଳବାଇ ହେଡ୍‌ କନେଷ୍ଟବଳ ଏଲ୍‌. କେ. ବୌରି ତୁରନ୍ତ ଧାଇଁ ଯାଇ ଫତିମାଙ୍କ ବାହୁକୁ ଧରି ଟାଣି ଚଳନ୍ତା ଟ୍ରେନ୍‌ଠାରୁ ଦୂରକୁ ନେଇ ଆସିଲେ।

Leave a Reply

Your email address will not be published. Required fields are marked *