ଦେଶ- ବିଦେଶ

ଇସ୍ରାଏଲ ସହ ଯୁଦ୍ଧବିରତି ବଢ଼ାଇବାକୁ ଚାହୁଛି ହମାସ୍‌: ବର୍ତ୍ତମାନ ସୁଦ୍ଧା ୫୮ ଜଣ ବନ୍ଧକ ମୁକ୍ତି ପାଇଲେଣି

ଟେଲ୍‌ ଅଭିଭ: ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ତୃତୀୟ ଦିନରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ଇସ୍ରାଏଲୀ-ଆମେରିକୀୟ ଯୁବତୀଙ୍କ ସମେତ ଆଉ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପରେ ହମାସ୍‌ ରବିବାର ଯୁଦ୍ଧବିରତିର ଅବଧି ବଢ଼ାଇବାକୁ ଚାହୁଛି ବୋଲି କହିଛି। ଏକ ବିବୃତିରେ ହମାସ କହିଛି ଯେ ଯଦି ଇସ୍ରାଏଲ ପାଲେଷ୍ଟାଇନର ଅଧିକ କଏଦୀଙ୍କୁ ମୁକ୍ତ କରିବା ପାଇଁ ଗମ୍ଭୀର ପ୍ରୟାସ କରେ ତେବେ ଯୁଦ୍ଧବିରତିକୁ ବୃଦ୍ଧି କରାଯାଇପାରେ। ଇସ୍ରାଏଲ ଏହା ପୂର୍ବରୁ ସୂଚନା ଦେଇସାରିଛି ଯେ, ହମାସ୍‌ ଯଦି ଅଧିକ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ ଚାହିବ, ତେବେ ପ୍ରତି ୧୦ ଜଣ ବନ୍ଧକଙ୍କ ମୁକ୍ତି ପାଇଁ ଅତିରିକ୍ତ ଗୋଟିଏ ଦିନ ଲେଖାଏ ଯୁଦ୍ଧବିରତି ବୃଦ୍ଧି କରାଯିବ।

ଇସ୍ରାଏଲର ମୋସାଦ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇସ୍ରାଏଲରେ ତା’ର କତର ପ୍ରତିପକ୍ଷଙ୍କ ସହ ଏକ ବୈଠକର ଆୟୋଜନ କରି ହମାସ୍‌ ଦ୍ୱାରା ବନ୍ଦୀ ଥିବା ଅବଶିଷ୍ଟ ବନ୍ଧକମାନଙ୍କ ମୁକ୍ତି ବିଷୟରେ ଆଲୋଚନା କରିବା ସହ ଦୋହା ମଧ୍ୟସ୍ଥତାରେ ଯୁଦ୍ଧବିରତିର ସମ୍ଭାବ୍ୟ ସମ୍ପ୍ରସାରଣର ଅନ୍ୟ ବିକଳ୍ପ ଉପରେ ବିଚାରବିମର୍ଶ କରିଥିଲେ। ଗାଜାବାସୀଙ୍କ ପାଖରେ ମାନବିକ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁଦ୍ଧବିରତି ପାଇଁ କତର ଓ ଇଜିପ୍ଟ ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତି ଅନୁଯାୟୀ ହମାସ୍‌ ବର୍ତ୍ତମାନ ସୁଦ୍ଧା ୫୮ ଜଣ ବନ୍ଦୀଙ୍କୁ ମୁକ୍ତ କରିଛି। ଶୁକ୍ରବାର ହମାସ୍‌ ୨୪ ଜଣ, ଶନିବାର ୧୭ ଜଣ ଏବଂ ରବିବାର ୧୭ ଜଣ ବନ୍ଦୀଙ୍କୁ ମୁକ୍ତ କରିଛି। ତେବେ ଅସ୍ଥାୟୀ ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲ ବିମାନ ଗାଜାରେ ହମାସ୍‌ର ୫ ଜଣ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିଛି। ସେମାନେ ହେଉଛନ୍ତି ହମାସ୍‌ର ଉତ୍ତର ଗାଜା ବ୍ରିଗେଡ୍‌ର କମାଣ୍ଡର ଅହମ୍ମଦ ଘଣ୍ଡୋର, ହମାସ୍‌ର ରକେଟ୍ସ ଆରେ ମୁଖ୍ୟ ଆଇମାନ୍ ସିଆମ୍, ହମାସ୍‌ର ଉତ୍ତର ଗାଜା ବ୍ରିଗେଡ୍‌ର ଡେପୁଟି କମାଣ୍ଡର ୱେଲ୍ ରାଜେବ, ହମାସ୍‌ର ଜୁଡିଆ ଏବଂ ସାମରିଆ ମୁଖ୍ୟାଳୟର ବରିଷ୍ଠ କର୍ମକର୍ତ୍ତା ଫର୍ସାନ୍ ହାଲିଫା ଏବଂ ଉତ୍ତର ଗାଜାରେ ଯୁଦ୍ଧ ସହାୟତା ୟୁନିଟ୍‌ର କମାଣ୍ଡର ରଫେତ ସଲମାନ।

ବାଇଡେନଙ୍କ ସହ ଆଲୋଚନା ବେଳେ ନେତାନ୍ୟାହୁ କହିଛନ୍ତି ଯେ, ଅସ୍ଥାୟୀ ଯୁଦ୍ଧବିରତି ଶେଷ ହେବା ପରେ ଇସ୍ରାଏଲ ପୂରା ଶକ୍ତି ସହ ଗାଜାରେ ନିଜର ସାମରିକ ଅଭିଯାନ ଆରମ୍ଭ କରିବ। ତେବେ କତର ମଧ୍ୟସ୍ଥତାରେ ହୋଇଥିବା ମୂଳ ଚୁକ୍ତି ଅନୁଯାୟୀ ପ୍ରତିଦିନ ଅତିରିକ୍ତ ୧୦ ଜଣ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଯୁଦ୍ଧବିରତିକୁ ଅଧିକ ଗୋଟିଏ ଦିନ ଲେଖାଏ ବଢ଼ାଇବାକୁ ସେ ସ୍ୱାଗତ କରିବେ। ଏହି ଯୁଦ୍ଧରେ ଇସ୍ରାଏଲର ପ୍ରାୟ ୧୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ଗାଜାରେ ୧୪,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି।

Leave a Reply

Your email address will not be published. Required fields are marked *