ଦେଶ- ବିଦେଶ

ପୁଅ ଉପରେ ଗୁଳି ବର୍ଷଣ କରୁଥିବା ଦୁର୍ବୃତ୍ତଙ୍କୁ ବାଡ଼ିଲଗା ଝାଡୁରେ ଗୋଡ଼ାଇ ଘଉଡ଼ାଇ ଦେଲା ମାଆ

ଭିୱାନି: ଘର ପାଖକୁ ଆସି ପୁଅକୁ ଲକ୍ଷ୍ୟ କରି ଗୁଳି ଚଳାଉଥିବା ବାଇକ୍‌ ଆରୋହୀ ଦୁର୍ବୃତ୍ତମାନଙ୍କୁ ହରିୟାଣାର ଭିୱାନି ଅଞ୍ଚଳରେ ଜଣେ ମହିଳା ଖଣ୍ଡେ ବାଉଁଶ ଲାଗିଥିବା ଝାଡୁ ଦେଖାଇ ଘଉଡ଼ାଇ ଦେଇଥିବା ଭିଡିଓ ସମ୍ପ୍ରତି ଭାଇରାଲ୍‌ ହୋଇଛି।

ସେ ଅଞ୍ଚଳର ‘ସିସିଟିଭି’ ଫୁଟେଜ୍‌ରେ ଉତ୍ତୋଳିତ ଉକ୍ତ ଭିଡିଓରେ ଦେଖାଯାଉଛି ଶକୁନ୍ତଳା ନାମ୍ନୀ ସେ ମହିଳା ବାଡ଼ିଲଗା ଝାଡୁ ଧରି ନିର୍ଭୟରେ ବନ୍ଧୁକଧାରୀଙ୍କୁ ମୁକାବିଲା କରିବାକୁ ଧାଇଁ ଯାଉଛନ୍ତି।

ଗଣମାଧ୍ୟମକୁ ଶକୁନ୍ତଳା କହିଛନ୍ତି‌ ଯେ, ସେ ଯାହା ‌କଲେ ତାହା ସବୁ ମାଆ ସେମାନଙ୍କ ପୁଅଙ୍କ ପାଇଁ କରନ୍ତି।

ସେ କହିଛନ୍ତି, ମୁଁ ଗୁହାଳ ଖରକୁ ଥିବା ବ‌େଳେ କିଛି ଫୁଟିବା ଶବ୍ଦ ଶୁଭିଲା। ମୁଁ ଭାବିଲି ଗୋରୁଙ୍କୁ ତରକାଇବା ପାଇଁ କିଏ ବାଣ ଫୁଟାଉଛି। ସେମାନଙ୍କୁ ଘଉଡ଼ାଇବା ଲଗି ମୁଁ ବାହାରି ଆସି ଦେଖେ ତ ମୋ ପୁଅ ହରିଆ ଉପରେ ଆକ୍ରମଣ କରାଯାଉଛି। ମୁଁ ବାଡ଼ିଲଗା ଝାଡୁ ଖଣ୍ଡେ ‌ଧରି ସେମାନଙ୍କର ମୁକାବିଲା କଲି। ମୋ ସ୍ଥାନରେ ଯିଏ ବି ଥାଆନ୍ତା, ମୁଁ ଯେମିତି ନିର୍ଭୟରେ ମୋ ପୁଅକୁ ବଞ୍ଚାଇବାକୁ ଧାଇଁଗଲି, ସେ ବି ତା’ର ପିଲାକୁ ବଞ୍ଚାଇବାକୁ ଏମିତି କରିଥାଆନ୍ତା।

ଫୁଟେଜ୍‌ରେ ଦେଖାଯାଉଛି, ଘର ବାହାରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଡ଼କୁ ବାଇକ୍‌ରେ ଆସିଥିବା ୬ଜଣ ଲୋକ ଗୁଳି ଚଳାଉଛନ୍ତି। ସେ ବ୍ୟକ୍ତିଜଣକ ହେଉଛନ୍ତି ହରିକିଷନ୍‌ ଓରଫ୍‌ ହରିଆ।

ଗୁଳି ଫୁଟିବା ଶବ୍ଦ ଶୁଣି ତାଙ୍କ ମାଆ ଧାଇଁ ଆସି ବନ୍ଧୁଧାରୀମାନଙ୍କୁ ସାମାନ୍ୟ ବାଡ଼ି ଖଣ୍ଡେ ଧରି ଘଉଡ଼ାଇ ଦେବାରେ ସଫଳ ହୋଇ ଅପୂର୍ବ ସାହସ ପ୍ରଦର୍ଶନ କରିଛନ୍ତି।

ପୁଲିସ କହିଛି, ସାହସିନୀ ମହିଳା ଶକୁନ୍ତଳା ବିପଦ ବେଳେ ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି।

Leave a Reply

Your email address will not be published. Required fields are marked *