ଅପରାଧରାଜ୍ୟ

ସ୍ୱାମୀ ମରିବାର ବର୍ଷକ ପରେ ଗର୍ଭବତୀ ହେଲା ବିଧବା ଝିଅ: ଗୋଇଠା ମାରି ହତ୍ୟା କଲା ବାପା

କପ୍ତିପଦା: ନିଷ୍ଠୁର ବାପା। ଗର୍ଭବତୀ ଝିଅର ପେଟରେ ଗୋଇଠା ମାରି ହତ୍ୟା କରିଲା ବାପା। କପ୍ତିପଦା ଥାନା ପଥରଖଣି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ସାକର ଟୁଡୁ। ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ଗିରଫ କରିଲା କପ୍ତିପଦା ପୁଲିସ। ସ୍ୱାମୀ ମରିବାର ଏକ ବର୍ଷ ପରେ ଝିଅ ଗର୍ଭବତୀ ହେବାରୁ ଅଭିଯୁକ୍ତ ବାପା ଝିଅକୁ ଗୋଇଠା ମାରି ହତ୍ୟା କରିଥିବା ଜଣାଯାଇଛି।

ପଥରଖଣି ଗ୍ରାମର ଜିଠୁ ଟୁଡୁଙ୍କ ଝିଅ ସାକର ଟୁଡୁ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୩ ବର୍ଷର ଝିଅଟିଏ ରହିଛି। ହେଲେ ସାକରଙ୍କ ସ୍ୱାମୀ ମଙ୍ଗଲ ମୁର୍ମୁଙ୍କର ଏକ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସାକର ଆସି ନିଜ ବାପଘରେ ରହୁଥିଲେ। ଶୁକ୍ରବାର ଦିନ ସାକର ୫ ମାସର ଗର୍ଭବତୀ ଥିବା ତାଙ୍କ ବାପା ଜାଣିବାକୁ ପାଇଥିଲେ। ଏନେଇ ସେ ସାକରଙ୍କୁ ପଚାରିଥିଲେ ଏବଂ ଉତକ୍ଷିପ୍ତ ହୋଇ ଗର୍ଭବତୀ ସାକର ପେଟକୁ ଗୋଇଠା ମାରିଥିଲେ। ତତସହିତ ବାଡ଼ିରେ ବାଡ଼େଇଥିଲେ, ଯେଉଁଥିରେ ସାକର ଗୁରୁତର ହୋଇଥିଲେ। ଝିଅର ଚରିତ୍ରକୁ ସନ୍ଦେହ କରି ବାପା ଏହି ନାରକୀୟ କାଣ୍ଡ ଭିଆଇଥିବା ବେଳେ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲା।

ହେଲେ ଏ ନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ଗିରଫ କରିଛି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଛି।

Leave a Reply

Your email address will not be published. Required fields are marked *