ରାଜ୍ୟ

ହରିୟାଣାର ସାଇନି ସରକାର ପ୍ରତି ସଂକଟ, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ

ଗୁରୁଗ୍ରାମ: ହରିୟାଣାରେ ନୟାବ ସିଂହ ସାଇନି ସରକାର ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ସରକାରକୁ ସମର୍ଥନ ଦେଉଥିବା ସ୍ୱାଧୀନ ବିଧାୟକମାନେ ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଏହା ଫଳରେ ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଛି। ଏହି ତିନି ସ୍ୱାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲାନ ଏବଂ ଧର୍ମପାଲ ଗୋଣ୍ଡାର । ପୁଣି ଏହି ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ନିର୍ବାଚନ ସମୟରେ କଂଗ୍ରେସକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନ କହିଛନ୍ତି ଯେ ହରିୟାଣା ବିଧାନସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୮୮ ରହିଛି। ବିଜେପିରେ ୪୦ ଜଣ ସଦସ୍ୟ ଅଛନ୍ତି। ପୂର୍ବରୁ ବିଜେପି ସରକାରକୁ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଥିବା ବେଳେ ଏବେ ଜେଜେପି ଓ ସ୍ୱାଧୀନ ବିଧାୟକ ଦଳ ଛାଡୁଛନ୍ତି । ଏଭଳି ସ୍ଥିତିରେ ସାଇନି ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ଏବଂ ତାଙ୍କ ପାଖରେ ଗୋଟିଏ ମିନିଟ୍ ପାଇଁ ବି ସରକାରରେ ରହିବାର ଅଧିକାର ନାହିଁ।

ଏ ସଂପର୍କରେ ଧର୍ମପାଲ କହିଛନ୍ତି, ଆମେ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରୁଛୁ। ଆମେ କଂଗ୍ରେସକୁ ସମର୍ଥନ ଦେଉଛୁ। କୃଷକଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେ ଏହି ନିଷ୍ପତ୍ତି ନେଇଛୁ।

ହରିୟାଣା ବିଧାନସଭାରେ ଏବେ ୮୮ ସଦସ୍ୟ ଥିବାବେ​ଳେ ବହୁମତ ପାଇଁ ୪୫ଟି ଆସନ ଅବଶ୍ୟକ । ତେବେ ବିଜେପି ପାଖରେ ୪୦ଟି ଆସନ ଥିବାବେଳେ ଏହାକୁ ୬ ସ୍ବାଧୀନ ବିଧାୟକ ସମର୍ଥନ କରୁଥିଲେ । କିନ୍ତୁ ଏବେ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ସରକାରଙ୍କ ପାଖରେ ମୋଟ ୪୩ ବିଧାୟକ ଅଛନ୍ତି ।

Leave a Reply

Your email address will not be published. Required fields are marked *