ରାଜ୍ୟ

ଜୁନ୍ ୧୦ରେ ଓଡ଼ିଶାରେ ମୋଦୀ ମଡେଲ୍ ର ସରକାର: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ଜୁନ୍ ୧୦ ତାରିଖରେ ଓଡ଼ିଶାରେ ହେବ ମୋଦୀ ମଡେଲ୍ ର ସରକାର। ବିଜେଡି ସରକାର ଶେଷ ହେବ। ଲୋକେ ଜାଣିଗଲେଣି ରାସନ, ଆବାସ ଘର ସବୁ କେନ୍ଦ୍ର ସରକାର ଦେଉଛନ୍ତି। ମନରେଗା, ମିସନ୍ ଶକ୍ତି ଭଳି ଯୋଜନା ବନ୍ଦ ହୋଇଯିବ ବୋଲି ବିଜେଡି ସରକାର ପରାଜୟ ଭୟରେ ମିଛ ପ୍ରଚାର କରୁଛି। କିନ୍ତୁ କୌଣସି ଯୋଜନା ବନ୍ଦ ହେବନି। ଦୁଇଜଣ ହେଲିକେପ୍ଟରରେ ବୁଲିଲେ ସରକାର ହୁଏନା। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ର‌ାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କଥା କହିଛନ୍ତି।ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଆହୁରି କହିଛନ୍ତି, ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ବଢ଼ିଛି। ସାରା ବିଶ୍ବରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି।ପୃଥିବୀ ସାରା ବିଭିନ୍ନ ଦେଶ ଭାରତର ସାହାଯ୍ୟ ଲୋଡୁଛନ୍ତି।ଭାରତ ପ୍ରଗତି ପଥେ, କିନ୍ତୁ ଓଡ଼ିଶା ବେଶ୍‌ ପଛରେ ପଡ଼ିଯାଇଛି।

ସାମ୍ବାଦିକ ସମ୍ମିଳନୀରେ ବିଜେପି ସଂକଳ୍ପ ପତ୍ରର ୫ଟି ବିନ୍ଦୁର ଅବତାରଣା କରି ବୈଜୟନ୍ତ ପଣ୍ଡା କହିଛନ୍ତି, ଏଠିକାର ଶାସକ ଦଳ ୧୭ ବର୍ଷ ତଳେ କହିଥିଲେ ୩୩% ଜଳସେଚନ ହେବ, କିନ୍ତୁ ଏଯାଏ ତାହା ହୋଇପାରିନି। ଏହାଫଳରେ ଓଡ଼ିଶାରେ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶାରେ ବହୁ ସଂଖ୍ୟାରେ ପଦବୀ ଖାଲିପଡ଼ିଥିଲେ ବି ରାଜ୍ୟ ସରକାର ନିଯୁକ୍ତି ଦେଇନାହିଁ। ବିଜେପି ସରକାର ଓଡ଼ିଶାରେ ଆସିଲେ ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ଦିଆଯିବ ବୋଲି ପ୍ରତିଜ୍ଞା କରିଛି ଦଳ। ଆଗାମୀ ଦିନରେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ।ନିଯୁକ୍ତିରେ ଓବିସି ଏବଂ ପଛୁଆ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବ। ସେ ଆହୁରି କହିଛନ୍ତି, ବିଜେପି ସରକାର ଆସିଲେ ୩୧ଶହ ଟଙ୍କାରେ ଧାନ କିଣାଯିବ। ୪୮ ଘଣ୍ଟାରେ ଚାଷୀଙ୍କୁ ଡିବିଟି ଜରିଆରେ ତାଙ୍କ ପ୍ରାପ୍ୟ ମିଳିଯିବ। ଅଣଉତ୍ପାଦନ ସମୟରେ ମତ୍ସ୍ୟଜୀବୀକୁ ୧୦ ହଜାର ଟଙ୍କାର ସହାୟତା ମିଳିବ। ବିଜେପି ସରକାର ଆସିଲେ ଓଡ଼ିଶାରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଭିତ୍ତିଭୂମିର ବିକାଶ ହେଲେ ଶିଳ୍ପ ଆସିବା ସହଜ ହୋଇଯିବ।ସମ୍ବଲପୁର, ରାଉରକେଲା, ଧାମରା, ପାରାଦୀପକୁ ନେଇ ଶିଳ୍ପ କରିଡର ହେବ।

କେନ୍ଦ୍ରାପଡ଼ାରେ ବିଜେପି ବହୁମତ ପାଇବ ବୋଲି ବି ଦୃଢୋକ୍ତି କରିଛନ୍ତି  ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ସାରା ଓଡ଼ିଶାରେ ମୋଦୀ ଲହର ଚାଲିଛି, କେନ୍ଦ୍ରାପଡ଼ାରେ ପ୍ରବଳ ଚାଲିଛି। ଦୈନିକ ଶହ ଶହ କର୍ମୀ ଅନ୍ୟ ଦଳରୁ ଆସି ବିଜେପିରେ ମିଶୁଛନ୍ତି।

Leave a Reply

Your email address will not be published. Required fields are marked *