ରାଜ୍ୟ

ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ଆଜି (ଏପ୍ରିଲ୍ ୩୦) ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ। ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି। ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସକାଳ ୧୧ଟାରେ ଛତ୍ରପୁର ନିକଟସ୍ଥ ନରସିଂହପୁର ଛକସ୍ଥିତ ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ। ସେଠାରୁ କାର୍‌ରେ ମା’ତାରାତାରିଣୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତକାଲି ଦକ୍ଷିଣା‌ଞ୍ଚଳ ଆଇଜି ଜୟନାରାଣ ପଙ୍କଜ ଓ ଗଞ୍ଜାମ ଏସ୍‌.ପି. ଜଗମୋହନ ମୀନା ଅସ୍ଥାୟୀ ହେଲିପ୍ୟାଡ୍ ଅଞ୍ଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ୍ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଥିଲେ।

Leave a Reply

Your email address will not be published. Required fields are marked *