ଦେଶ- ବିଦେଶ

ରାଘବ ଚଢ଼ାଙ୍କୁ ବିଜୟ ମାଲ୍ୟାଙ୍କ ସହ ତୁଳନା କରିଥିବା ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବିରୋଧରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କୁ ପଳାତକ ବିଜୟ ମାଲ୍ୟାଙ୍କ ସହ ସମାନ କରି ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଏକ ଖବର ପରିବେଷଣ କରିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଚ୍ୟାନେଲ୍‌ଟି ରାଘବଙ୍କ ସମ୍ମାନହାନୀ କରିଥିବା ଅଭିଯୋଗରେ ପଞ୍ଜାବ ପୁଲିସ ଉକ୍ତ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି।
ୟୁଟ୍ୟୁବ୍ ଚ୍ୟାନେଲ୍ ‘କ୍ୟାପିଟାଲ୍ ଟିଭି’ ବିରୋଧରେ ଏହି ଅଭିଯୋଗ ଲୁଧିଆନା ଲୋକସଭା ଆସନର ଆପ୍‌ ପ୍ରାର୍ଥୀ ଅଶୋକ ପପି ପ୍ରଶାରଙ୍କ ପୁଅ ବିକାଶ ପ୍ରଶାର ଆଣିବା ପରେ ଚ୍ୟାନେଲ୍‌ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଚ୍ୟାନେଲ୍‌ଟି ବିଭ୍ରାନ୍ତିକର ବିଷୟବସ୍ତୁ ଏବଂ ମନଗଢ଼ା କଥା ପ୍ରଚାର କରୁଥିବା ଦର୍ଶାଇଛନ୍ତି।

‘କ୍ୟାପିଟାଲ ଟିଭି’ ଚ୍ୟାନେଲରେ ପ୍ରସାରିତ ହେଉଥିବା ମିଥ୍ୟା ବିବୃତ୍ତି/ବିଷୟବସ୍ତୁ ଜନସାଧାରଣଙ୍କ ଶାନ୍ତି ଓ ସମ୍ମାନକୁ କ୍ଷତି ପହଞ୍ଚାଉଛି। ଏହା ଦେଶର ଭିନ୍ନ ଭିନ୍ନ ଗୋଷ୍ଠୀଙ୍କ ଭିତରେ ଶତ୍ରୁତା ଭାବ ସୃଷ୍ଟି କରୁଛି। ଚ୍ୟାନେଲ୍‌ରେ ଭିନ୍ନ ଜାତି, ଧର୍ମ ଓ ସଂପ୍ରଦାୟ ଭିତରେ ଗଣ୍ଡଗୋଳ ଉପୁଜାଇବା ପରି ବିଷୟବସ୍ତୁ ପ୍ରକାଶ କରାଯାଉଥିବା ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଏଫ୍ଆଇଆର୍ ଅନୁଯାୟୀ ଚ୍ୟାନେଲ ଦାବି କରିଛି ଯେ ବିଜୟ ମାଲ୍ୟା ଜନସାଧାରଣଙ୍କ ଟଙ୍କା ନେବା ପରେ ବ୍ରିଟେନକୁ ପଳାଇଥିଲେ ଏବଂ ସେହିଭଳି ଜଣେ ରାଜ୍ୟସଭା ସଦସ୍ୟ ଚକ୍ଷୁ ଚିକିତ୍ସା ବାହାନା କରି ଇଂଲଣ୍ଡ ପଳାଇ ଯାଇଥିଲେ। ଯାହାକି କି ରାଘବ ଚଢ଼ାଙ୍କୁ ଇଙ୍ଗିତ କରାଯାଇ ଖବର ପରିବେଷଣ କରାଯାଇଥିବା ସ୍ପଷ୍ଟ ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *