ରାଜ୍ୟ

ଶୁଖିଗଲା ଜଳଭଣ୍ଡାର: ମୋଟ କ୍ଷମତାର ୩୧ ପ୍ରତିଶତକୁ ଜଳ ହ୍ରାସ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଜଳଭଣ୍ଡାରଗୁଡ଼ିକ ପ୍ରବଳ ଖରା ଯୋଗୁ ଶୁଖିବାରେ ଲାଗିଛି। ଦେଶର ୧୫୦ଟି ପ୍ରମୁଖ ଜଳ ଭଣ୍ଡାରରେ ଜଳ ସ୍ତର ସେଗୁଡ଼ିକର ସର୍ବୋଚ୍ଚ କ୍ଷମତାର ୩୧ ପ୍ରତିଶତ ସ୍ତରକୁ ଖସିଆସିଲାଣି। ଗତବର୍ଷ ତୁଳନାରେ ଏବର୍ଷ ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ଜଳଭଣ୍ଡାରଗୁଡ଼ିକ ଅଧିକ ମାତ୍ରାରେ ତଳକୁ ଖସିଯାଇଛି। ଗତବର୍ଷ ମୌସୁମୀ ଋତୁରେ ଆବଶ୍ୟକ ମାତ୍ରାର ବର୍ଷା ନହେବା କାରଣରୁ ବେଙ୍ଗାଲୁରୁ ସହରରେ ଚଳିତବର୍ଷ ପ୍ରବଳ ମାତ୍ରାରେ ଜଳ ସଂକଟ ଦେଖାଦେଇଛି। ଚଳିତବର୍ଷ ମାର୍ଚ୍ଚ ଠାରୁ ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୨୧ଟି ରାଜ୍ୟରେ କମ୍‌ ବର୍ଷା ହୋଇଛି କିମ୍ବା ଆଦୌଁ ବର୍ଷା ହୋଇନାହିଁ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମାର୍ଚ୍ଚ ମାସ ଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ସ୍ବାଭାବିକ ତୁଳନାରେ ୧୮ ପ୍ରତିଶତ କମ୍‌ ବର୍ଷା ହୋଇଛି।

କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି)ର ତଥ୍ୟ ଅନୁଯାୟୀ, ଦେଶର ପ୍ରମୁଖ ଜଳଭଣ୍ଡାରଗୁଡ଼ିକରେ ଜଳର ସ୍ତର ଚଳିତ ସପ୍ତାହରେ ୫୬.୦୮୫ ବିଲିଅନ ଘନ ମିଟର ରହିଥିଲା, ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୧୭ ପ୍ରତିଶତ କମ୍‌। ଗତ ୧୦ ବର୍ଷର ହାରାହାରି ଜଳଧାରଣ ତୁଳନାରେ ଏହା ୩.୫ ପ୍ରତିଶତ କମ୍‌। ୧୫୦ଟି ଜଳଭଣ୍ଡାରରେ ଗତ ଗୁରୁବାର ସୁଦ୍ଧା ଯେତିକି ଜଳ ରହିଛି ଗତବର୍ଷ ସମୟ ତୁଳନାରେ ତାହା ୮୩ ପ୍ରତିଶତ ଏବଂ ଗତ ୧୦ ବର୍ଷର ହାରାହାରି ତୁଳନାରେ ୯୬ ପ୍ରତିଶତ। ପାଣିପାଗ ବ୍ୟୁରୋ ପକ୍ଷରୁ ଗତମାସରେ ସତର୍କ କରାଇ ଦିଆଯାଇଥିଲା ଯେ ଦେଶର ଅଧିକାଂଶ ଅଞ୍ଚଳରେ ଚଳିତବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ଉଚ୍ଚ ତାପମାତ୍ରା ସାଙ୍ଗକୁ ଜଳ ଭଣ୍ଡାରଗୁଡ଼ିକ ଶୁଖିଯିବା ଫଳରେ ଏହାର ପ୍ରତିକୂଳ ପ୍ରଭାବ ଦକ୍ଷିଣ ଭାରତର ଚାଷ ଉପରେ ପଡ଼ିବ।

ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ସ୍ଥିତି ଚିନ୍ତାଜନକ ରହିଛି। ଦକ୍ଷିଣ ଭାରତର ୪୨ଟି ପ୍ରମୁଖ ଜଳଭଣ୍ଡାରରେ ଜଳର ମାତ୍ରା ସେମାନଙ୍କର ମୋଟ କ୍ଷମତାର ୧୭ ପ୍ରତିଶତ ସ୍ତରକୁ ଖସିଆସି ୯.୩୧୬ ବିଲିଅନ ଘନ ମିଟର ରହିଛି। ଗତବର୍ଷ ଏହି ସମୟରେ ତାହା ମୋଟ କ୍ଷମତାର ୩୦ ପ୍ରତିଶତ ଏବଂ ୧୦ ବର୍ଷର ହାରାହାରି ତୁଳନାରେ ୨୫ ପ୍ରତିଶତ ରହିଥିଲା। କେନ୍ଦ୍ରୀୟ ଭାରତର ୨୬ଟି ଜଳଭଣ୍ଡାରରେ ଜଳର ମାତ୍ରା ମୋଟ କ୍ଷମତାର ୪୦ ପ୍ରତିଶତକୁ ହ୍ରାସ ପାଇ ୧୯.୪୯୭ ବିଲିଅନ ଘନ ମିଟର ରହିଛି। ଗତବର୍ଷ ଏହା ୪୪ ପ୍ରତିଶତ ସ୍ତରରେ ରହିଥିଲା। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ, ତ୍ରିପୁରା, ନାଗାଲାଣ୍ଡ ଏବଂ ବିହାର ଭଳି ପୂର୍ବ ଭାରତୀୟ ରାଜ୍ୟର ୨୩ଟି ଜଳଭଣ୍ଡାରରେ ଜଳର ମାତ୍ର ମୋଟ କ୍ଷମତାର ୪୦.୬ ପ୍ରତିଶତକୁ ହ୍ରାସ ପାଇ ୮.୨୯୨ ବିଲିଅନ ଘନ ମିଟର ରହିଛି। ପଶ୍ଚିମ ଭାରତୀୟ ରାଜ୍ୟଗୁଡ଼ିକର ୪୯ଟି ଜଳଭଣ୍ଡାରରେ ଏହା ମୋଟ କ୍ଷମତାର ୩୩.୯ ପ୍ରତିଶତକୁ ହ୍ରାସ ପାଇ ୧୨.୫୮୪ ବିଲିଅନ ଘନ ମିଟର ରହିଛି।

Leave a Reply

Your email address will not be published. Required fields are marked *