ଦେଶ- ବିଦେଶ

ଇସ୍ରାଏଲକୁ ବଞ୍ଚାଇଲା ‘ଏରୋ-୩’: ଏରୋ-୩ ପ୍ରତିରକ୍ଷା ବ୍ୟବସ୍ଥା କ’ଣ?

ତେଲ୍‌ ଅଭିଭ: ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଏରୋ-୩’ ଏକ ଭୀଷଣ ବିପର୍ଯ୍ୟୟରୁ ଇସ୍ରାଏଲକୁ ରକ୍ଷା କରିଛି। ଏହି ପ୍ରତିରକ୍ଷା ବ୍ୟବସ୍ଥା ସବୁ ଟାର୍ଗେଟ୍‌କୁ ତତ୍‌କ୍ଷଣାତ ଚିହ୍ନଟ କରି ନଷ୍ଟ କରିବାର ବିସ୍ମୟକାରୀ କ୍ଷମତା ପ୍ରତିପାଦିତ କରିବା ସହ ଇସ୍ରାଏଲର ପ୍ରତିରକ୍ଷା ଶକ୍ତିକୁ ଏକ ନୂଆ ପର୍ଯ୍ୟାୟକୁ ନେଇଛି। ଇରାନ୍‌ ଦ୍ୱାରା ନିକ୍ଷେପ କରାଯାଇଥିବା ସମସ୍ତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ପୃଥିବୀର ବାୟୁମଣ୍ଡଳ ବାହାରେ ଆରୋ-୩ ନିଷ୍କ୍ରିୟ କରିବାରେ ସକ୍ଷମ ହୋଇଛି ଯାହାକି ଇରାନ୍‌ର ସବୁ ଯୋଜନାକୁ ଧୂଳିସାତ କରିଦେଇଛି। ଇରାନ୍‌ର ଆକ୍ରୋଶମୂଳକ ଆକ୍ରମଣ ରୋକିବା ପାଇଁ ଇସ୍ରାଏଲର ଆଇରନ୍‌ ଡୋମ୍‌ ମଧ୍ୟ ନିର୍ଣ୍ଣାୟକ ଭୂମିକା ନେଇଛି। ୨ ଶହରୁ ଅଧିକ ଡ୍ରୋନ୍‌ ଏବଂ କ୍ରୁଜ୍‌ କ୍ଷେପଣାସ୍ତ୍ରକୁ ଗତରାତିରେ ଏହା ନଷ୍ଟ କରିଛି ଏବଂ ପ୍ରଳୟଙ୍କରୀ କ୍ଷୟକ୍ଷତିରୁ ଇସ୍ରାଏଲକୁ ବଞ୍ଚାଇଛି। ଇରାନ୍‌ ଦ୍ୱାରା ନିକ୍ଷେପ କରାଯାଇଥିବା ସମସ୍ତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ବାୟୁମଣ୍ଡଳ ବାହାରେ ହିଁ ନିଷ୍କ୍ରିୟ ହେବାକୁ ଆମେରିକା ଅଭୂତପୂର୍ବ ବୋଲି ଦର୍ଶାଇଛି।

ଏରୋ-୩ ପ୍ରତିରକ୍ଷା ବ୍ୟବସ୍ଥା କ’ଣ?
ଇସ୍ରାଏଲର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଶୀର୍ଷ ସ୍ତରକୁ ପ୍ରତିନିଧିତ୍ୱ କରୁଥିବା ଏରୋ-୩ ପୃଥିବୀର ବାୟୁମଣ୍ଡଳ ବାହାରେ ପରମାଣୁ ଏବଂ ଅନ୍ୟାନ୍ୟ ଅଣପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଡିଜାଇନ୍ କରାଯାଇଛି। ଇସ୍ରାଏଲ ଏହି ପ୍ରତିରକ୍ଷା ବ୍ୟବସ୍ଥାକୁ ଇରାନ୍‌ ଆକ୍ରମଣ ଦୃଷ୍ଟିରୁ ସଂପୂର୍ଣ୍ଣ ପ୍ରସ୍ତୁତ ରଖିଥିଲା ଏବଂ ଏହା ଟାର୍ଗେଟ୍‌ ନଷ୍ଟ କରିବାରେ ଶତ ପ୍ରତିଶତ ସଫଳ ହୋଇଛି। ଇସ୍ରାଏଲର ମୁଖ୍ୟ ସାମରିକ ମୁଖପାତ୍ର ରିଅର୍ ଆଡମିରାଲ ଡାନିଏଲ ହାଗାରି ରବିବାର କହିଛନ୍ତି ଯେ ଇରାନ୍‌ ଦ୍ୱାରା ନିକ୍ଷେପ କରାଯାଇଥିବା ବହୁ ସଂଖ୍ୟକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିରୋଧରେ ଏରୋ-୩ ନିଜ ସାମର୍ଥ୍ୟ ପ୍ରମାଣିତ କରିବା ସହ ଇସ୍ରାଏଲର ନାଗରିକଙ୍କ ମଧ୍ୟରେ ସୁରକ୍ଷା ନେଇ ପର୍ଯ୍ୟାପ୍ତ ଆତ୍ମବିଶ୍ବାସ ସୃଷ୍ଟି କରିଛି। ଆମେରିକାର ପାଣ୍ଠିରେ ବିକଶିତ ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବୋଇଂ ଏବଂ ସରକାରୀ ମାଲିକାନାରେ ଥିବା ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି ଦ୍ବାରା ପ୍ରସ୍ତୁତ ହୋଇଛି। ଏରୋ-୩ ଦୀର୍ଘ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ବାୟୁମଣ୍ଡଳ ବାହାରେ ତା’ର କାର୍ଯ୍ୟଦକ୍ଷତା ଯେଭଳି ପ୍ରତିପାଦିତ କରିଛି ତାହା ସମଗ୍ର ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ପାଇଁ ସୁରକ୍ଷାର ଏକ ନୂଆ ବଳୟ ସୃଷ୍ଟି କରିଛି। ଅତି ଉନ୍ନତ ପ୍ରତିରକ୍ଷା ବ୍ୟବସ୍ଥା ଦ୍ବାରା ଏକ କ୍ଷୁଦ୍ର ରାଷ୍ଟ୍ର କିଭଳି ଯେ କୌଣସି ଶକ୍ତିର ମୁକାବିଲା କରିପାରିବ ତାହାର ପ୍ରମାଣ ହେଉଛି ଏରୋ-୩। ଇରାନ୍‌ ପାଖରେ ଏ ପର୍ଯ୍ୟପ୍ତ ଉପଲବ୍ଧ ଯେ କୌଣସି ଶ୍ରେଣୀର କ୍ଷେପଣାସ୍ତ୍ର ରୋକିବା ପାଇଁ ଇସ୍ରାଏଲ ସମର୍ଥ ବୋଲି ଜଣାପଡ଼ିଥିବାରୁ ଆଗକୁ ଇରାନ୍‌ର ରଣନୀତି କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇସ୍ରାଏଲର ଅତ୍ୟାଧୁନିକ ରାଡାର ସିଷ୍ଟମ୍‌
ଏରୋ-୩ର ଇନ୍‌ଫ୍ରାରେଡ୍ ଏବଂ ରାଡାର ସିଷ୍ଟମ୍ ଅତ୍ୟାଧୁନିକ ସେନ୍ସର ବ୍ୟବହାର କରି ଆସୁଥିବା ବିପଦକୁ ଚିହ୍ନଟ ଏବଂ ଟ୍ରାକ୍ କରିଥାଏ। ଗତରାତିରେ ଏରୋ-୩ର ଇଣ୍ଟରସେପ୍ଟ କ୍ଷେପଣାସ୍ତ୍ରଗୁଡ଼ିକ ହାଇପରସୋନିକ୍ ବେଗରେ ପୃଥିବୀର ବାୟୁମଣ୍ଡଳରୁ ବାହାରି ଯାଇ ଇରାନ୍‌ର ବାଲିଷ୍ଟି କ୍ଷେପଣାସ୍ତ୍ରଗୁଡ଼ିକୁ ନଷ୍ଟ କରିଥିଲା। ଅତ୍ୟାଧୁନିକ ରାଡାର ଓ ଅତି ଶକ୍ତିଶାଳୀ ସେନ୍ସର ଦ୍ବାରା ଏହା ସମ୍ଭବ ହୋଇପାରିଛି ।

Leave a Reply

Your email address will not be published. Required fields are marked *