ଦେଶ- ବିଦେଶ

ଇରାନ ଦେଖାଇଲା ନାଲି ଆଖି: ଆମେରିକାକୁ ବିବାଦରୁ ଦୂରେଇ ରହିବାକୁ ଚେତାବନୀ

ତେହେରାନ୍: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ଇସ୍ରାଏଲ ତଥା ଇରାନ ମଧ୍ୟରେ ବିବାଦ ମଧ୍ୟ ଆରମ୍ଭ ହୋଇଛି। ବାସ୍ତବରେ, ସିରିଆରେ ଇରାନ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ପରେ ଇରାନ ଇସ୍ରାଏଲ ଉପରେ କ୍ରୋଧିତ ହୋଇଛି। ଏହି ଆକ୍ରମଣ ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଛି। ପ୍ରତିଶୋଧ ନେବାକୁ ଧମକ ଦେଇ ଇରାନ ଶନିବାର ଇସ୍ରାଏଲ ଉପରେ ମଧ୍ୟ ଡଜନ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ଇସ୍ରାଏଲର ସୁରକ୍ଷା ପାଇଁ ଆଗକୁ ବାହାରିଛି। ଏହା ପରେ ଇରାନ ଆମେରିକାର ସମର୍ଥନକୁ ବିରୋଧ କରିବା ସହ ନାଲି ଆଖି ଦେଖାଇଛି। ଏହି ଆକ୍ରମଣରୁ ଦୂରରେ ରହିବାକୁ ଆମେରିକାକୁ ଇରାନ କହିଛି। ଇରାନ ଧମକ ଦେଇଛି ଯେ ଯଦି ଇସ୍ରାଏଲ ଆଉ ଏକ ଭୁଲ କରେ ତେବେ ଏହାର ପରିଣାମ ବହୁତ ଖରାପ ହେବ।

ମିଳିତ ଜାତିସଂଘରେ ଇରାନର ସ୍ଥାୟୀ ମିଶନ କହିଛି, ଜାତିସଂଘ ଚାର୍ଟର ଧାରା ୫୧ ଆଧାରରେ ଦମ୍ମେସକରେ ଇରାନ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ଜବାବରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ଏହି ମାମଲା ବନ୍ଦ ବୋଲି ବିବେଚନା କରାଯାଇପାରେ। ଇରାନ ଆହୁରି କହିଛି, “ଯଦି ଇସ୍ରାଏଲ ଆଉ ଏକ ଭୁଲ କରେ, ତେବେ ଏହାର ପରିଣାମ ବହୁତ ଖରାପ ହେବ। ଏହି ବିବାଦ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ରହିଛି। ଆମେରିକା ଏଥିରୁ ଦୂରରେ ରହିବା ଉଚିତ୍।

ଇରାନର ସ୍ଥାୟୀ ମିଶନ ଏକ ବିବୃତ୍ତିରେ କହିଛି ଜାତିସଂଘ ସୁରକ୍ଷା ପରିଷଦ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବାରେ ବିଫଳ ହୋଇଛି।

ତେବେ ଇସ୍ରାଏଲ ସୁରକ୍ଷା ବାହିନୀ ଶନିବାର ଇରାନ ଦ୍ୱାରା ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରକୁ ଅଟକା ଯାଇଥିଲା। ଗଣମାଧ୍ୟମ ଅନୁଯାୟୀ, ବିଭିନ୍ନ ସ୍ଥାନରୁ ଜେରୁଜେଲମର ଆକାଶକୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଏହି ସମୟରେ, ଇରାନ ଦ୍ୱାରା ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଏବଂ ଇସ୍ରାଏଲ ଦ୍ୱାରା ନିଆଯାଇଥିବା ପ୍ରତିରୋଧୀ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ କହିବା କଷ୍ଟସାଧ୍ୟ ଥିଲା। ଅତିକମରେ ୨୦-୩୨ କ୍ଷେପଣାସ୍ତ୍ରକୁ ରୋକା ଯାଇଥିଲା।

ଇସ୍ରାଏଲକୁ ସମର୍ଥନ କରି ଆମେରିକା ମଧ୍ୟ ଇରାନର ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଉପରେ ଗୁଳି ଚଳାଇଥିଲା। ଆମେରିକାର ସୁରକ୍ଷା ବାହିନୀର ଜଣେ ଅଧିକାରୀ କହିଛନ୍ତି ଇସ୍ରାଏଲର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଆମେରିକାର ସୈନ୍ୟବାହିନୀ ଇରାନର କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇଛନ୍ତି। ଏହି ଅଞ୍ଚଳରେ ଆମର ସୈନ୍ୟମାନେ ଇସ୍ରାଏଲକୁ ଅତିରିକ୍ତ ସୁରକ୍ଷା ଯୋଗାଉଛନ୍ତି।

ଇରାନ ଦ୍ୱାରା କରାଯାଇଥିବା ଡ୍ରୋନ୍ ଆକ୍ରମଣରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଇସ୍ରାଏଲ ବର୍ଷ ବର୍ଷ ଧରି ଇରାନ ଦ୍ୱାରା ସିଧାସଳଖ ହେବାକୁ ଥିବା ଆକ୍ରମଣର ପ୍ରତିରୋଧ ପାଇଁ ପ୍ରସ୍ତୁତି ଚଳାଇଛି। ଆମର ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ ହୋଇଛି ଏବଂ ଆମେ କୌଣସି ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଇସ୍ରାଏଲ ଏକ ଶକ୍ତିଶାଳୀ ଦେଶ ଏବଂ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଏକ ଶକ୍ତିଶାଳୀ ଶକ୍ତି। ଏହା ସହିତ ନେତାନ୍ୟାହୁ ଇରାନର ଆକ୍ରମଣ ନେଇ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଅନ୍ୟାନ୍ୟ ଦେଶର ସମର୍ଥନକୁ ମଧ୍ୟ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *