ଦେଶ- ବିଦେଶମୁଖ୍ୟ ଖବର

ଚୀନ୍‌ର ନକଲି ରସୁଣ ଭାରତ ବଜାରରେ: ହାଇ ଆଲର୍ଟ ଜାରି, ଏସବୁ ରାଜ୍ୟ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ଭାରତୀୟ ଖୁଚୁରା ବଜାରରେ ରସୁଣ ଦର ଏବେ କିଲୋଗ୍ରାମ୍ ପିଛା ୨୦୦ ଟଙ୍କାରୁ ୨୪୦ ଟଙ୍କା ମଧ୍ୟରେ ରହିଛି। ରସୁଣ ଦର ବୃଦ୍ଧି ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ବଜାରରେ ଚୀନ୍‌ର ନକଲି ରସୁଣ ବିକ୍ରି ହେଉଥିବା ଖବର ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ନକଲି ରସୁଣ ଚିହ୍ନଟ ଏବଂ ଏହାର ବିକ୍ରି ଉପରେ ଲଗାମ୍ ଲଗାଇବା ପାଇଁ ହାଇ ଆଲର୍ଟରେ ରହିଛି। ନକଲି ରସୁଣ ଚୋରା କାରବାର ଉପରେ କଡ଼ା ନଜର ରଖିବା ପାଇଁ ସ୍ଥଳ ସୀମା ଶୁଳ୍କ ପକ୍ଷରୁ ଏକ ଟିମ୍ ନେପାଳ ଏବଂ ବାଂଲାଦେଶ ସୀମାରେ ମୁତୟନ ହୋଇଛନ୍ତି। ଏହି କାର୍ଯ୍ୟରେ ସନ୍ଧାନୀ କୁକୁର ଦଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏନେଇ ହୋଲ୍ ସେଲର୍ସ ଏବଂ ବିଭିନ୍ନ ଗୋଦାମ ପାଇଁ ସତର୍କ ସୂଚନା ଜାରି କରାଯାଇଛି।ସୀମା ଶୁଳ୍କ ଅଧିକାରୀଙ୍କ ଅନୁସାରେ ଉତ୍ତରପ୍ରଦେଶ, ବିହାର ଏବଂ ପୂର୍ବୋତ୍ତର ରାଜ୍ୟ ଗୁଡ଼ିକରେ ଏଭଳି ଚୋରା କାରବାରର ଚେର ଚୀନ୍ରୁ ଭାରତକୁ ଲମ୍ବିଛି। ନକଲି ରସୁଣ ଚୀନ୍ରୁ ନେପାଳ ବାଟେ ଭାରତକୁ ଚାଲାଣ ହେଉଛି। ୨୦୧୪ରେ ରସୁଣରେ ଫଙ୍ଗାଲ୍ ସଂକ୍ରମଣ ହେବା ମାମଲା ନଜରକୁ ଆସିବା ପରେ ଭାରତ ସରକାର ଚୀନ୍ରୁ ରସୁଣ ଆମଦାନୀ ଉପରେ କଡ଼ କଟକଣା ଜାରି କରିବା ସହିତ ଏହା ଉପରେ ରୋକ ଲଗାଇଥିଲେ।

ଗତ ମାସରେ ସିକଟା ସୀମା ଶୁଳ୍କ ପୋଷ୍ଟ ଠାରେ ୧.୩୫ କୋଟି ଟଙ୍କାର ୬୪,୦୦୦ କିଲୋଗ୍ରାମ୍ ନକଲି ରସୁଣ ଜବତ କରା ଯାଇଥିଲା।
ଘରୋଇ ବଜାରରେ ରସୁଣ ଦର ବୃଦ୍ଧି ହେଉଥିବାବେଳେ ଚୀନ୍‌ରୁ ଆସିଥିବା ନକଲି ରସୁଣ କାରବାର ଯୋଗୁ ଅସାଧୁ ବ୍ୟବସାୟୀ ବେଶ୍ ଲାଭାନ୍ବିତ ହେବାରେ ଲାଗିଛନ୍ତି। ଦେଶରେ ୧,୦୦୦ରୁ ୧୨,୦୦ ଟନ୍ ନକଲି ରସୁଣ ରହିଥିବା କୁହାଯାଉଛି। ୨୦୨୩ ନଭେମ୍ବର ଦେଶରେ ରସୁଣ ଦର କିଲୋଗ୍ରାମ୍ ପିଛା ୪୫୦ ଟଙ୍କାରୁ ୫୦୦ ଟଙ୍କା ମଧ୍ୟରେ ରହିଥିଲା।

ଭାରତ ଏବଂ ଚୀନ୍ ପୃଥିବୀରେ ରସୁଣ ଉତ୍ପାଦନ ତାଲିକାରେ ଶୀର୍ଷରେ ରହିଛନ୍ତି। ଭାରତୀୟ ରସୁଣର ଚାହିଦା କରୋନା ମହାମାରୀ ପରେ ଆମେରିକା, ପଶ୍ଚିମ ଏସିଆ, ବ୍ରାଜିଲ୍‌ରେ ବଢ଼ିବାରେ ଲାଗିଛି। ୨୦୨୨-୨୩ରେ ଭାରତ ୫୭,୩୪୬ ଟନ୍ ରସୁଣ ରପ୍ତାନୀ କରିଥିଲା। ଏହାର ଆନୁମାନିକ ମୂଲ୍ର ୨୪୬ କୋଟି ଟଙ୍କା ଥିଲା। ସେହିପରି ଭାରତ ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ସେପ୍ଟେମ୍ବର ମଧ୍ୟରେ ୨୭୭ କୋଟି ଟଙ୍କାର ୫୬,୮୨୩ ରସୁଣ ବିଦେଶକୁ ରପ୍ତାନୀ କରିଛି।

Leave a Reply

Your email address will not be published. Required fields are marked *