ଦେଶ- ବିଦେଶମୁଖ୍ୟ ଖବର

ଆମେରିକାକୁ କଡ଼ା ଜବାବ୍ ଦେଲା ଭାରତ, ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବାକୁ କହିଲା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଟିପ୍ଫଣୀ ଦେଇଥିବାରୁ ଆମେରିକାକୁ ଭାରତ କଡ଼ା ଜବାବ ଦେଇଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ଭାରତ ରୋକଠୋକ୍ କହିଛି। ଏହା ସହିତ ଆମେରିକା ଦୂତାବାସର କାର୍ଯ୍ୟବାହକ ମିଶନ ଉପ ମୁଖ୍ୟ ଗ୍ଲୋରିୟା ବେର୍ବିନାଙ୍କୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜବାବ୍ ତଲବ୍ କରାଯାଇଛି। ଗ୍ଲୋରିୟାଙ୍କ ସହିତ ବିଦେଶ ମନ୍ତ୍ରଣାଳୟରେ ପ୍ରାୟ ୪୦ ମିନିଟ୍ ଆଲୋଚନା କରାଯାଇଥିବା ନ୍ୟୁଜ୍ ଏଜେନ୍ସି ଏଏନଆଇ ପକ୍ଷରୁ କୁହାଯାଇଛି।

ଭାରତ ପକ୍ଷରୁ ଆମେରିକା ବିଦେଶ ବିଭାଗର ପ୍ରବକ୍ତାଙ୍କ ଟିପ୍ପଣୀ ନେଇ ଆପତ୍ତି ପ୍ରକାଶ କରାଯାଇଛି। ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ନ୍ୟାୟିକ ପ୍ରକ୍ରିୟା ନେଇ ଆମେରିକା ବିଦେଶ ବିଭାଗ ପ୍ରବକ୍ତାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ମନ୍ତବ୍ୟ ଆପତ୍ତିଜନକ। ଭାରତର ସାର୍ବଭୌମତ୍ବ ପ୍ରତି ଆକ୍ଷେପ କରିବା ସହ୍ୟ କରାଯିବ ନାହିଁ। ଏହା ଅନ୍ତର୍ଜାତୀୟ କୂଟନୀତିର ବିପରୀତ।

ଏକ ଗଣତାନ୍ତ୍ରିକ ଦେଶ ବିରୋଧରେ ଏଭଳି ଟିପ୍ପଣୀ ଦେବା ଠିକ୍ ନୁହେଁ। ଭାରତୀୟ ନ୍ୟାୟପାଳିକା ଏକ ସ୍ବତନ୍ତ୍ର ଧାରା ଉପରେ ପର୍ଯ୍ୟବେସିତ। ଏହା କାର୍ଯ୍ୟ ପ୍ରଣାଳୀ ଉପରେ କୌଣସି ଟିପ୍ପଣୀ ଦେବା ଉଚିତ ନୁହେଁ।

ସୂଚନାଯୋଗ୍ୟ, କ୍ରେଜିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୂର୍ବରୁ ଜର୍ମାନୀର ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ମଧ୍ୟ ଅପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିଲେ। ସେ ଭାରତୀୟ ନ୍ୟାୟପାଳିକା କାର୍ଯ୍ୟପ୍ରଣାଳୀ ଗଣତାନ୍ତ୍ରିକ ନିଷ୍ପତ୍ତି ନେବା ଉପରେ ଗୁରୁତ୍ବାରୋପ କରିଥିଲେ। ଏନେଇ ଭାରତ ପକ୍ଷରୁ ଜର୍ମାନୀ ଦୂତାବାସର ଉପ ମୁଖ୍ୟଙ୍କୁ ଜବାବ୍ ତଲବ୍ କରାଯାଇଥିଲା।

Leave a Reply

Your email address will not be published. Required fields are marked *