ରାଜ୍ୟ

ସଡ଼କ ଦୁର୍ଘଟଣାରେ ଇଣ୍ଟେଲର ପେଣ୍ଟିଅମ୍ ପ୍ରୋସେସର ଡିଜାଇନର ନେତୃତ୍ୱ ନେଇଥିବା ଅବତାର ସାଇନି ମୃତ

ମୁମ୍ବାଇ: ପେଣ୍ଟିଅମ୍ ପ୍ରୋସେସର ଡିଜାଇନର ନେତୃତ୍ୱ ନେଇଥିବା ଇଣ୍ଟେଲ ଇଣ୍ଡିଆର ପୂର୍ବତନ ମୁଖ୍ୟ ଅବତାର ସାଇନିଙ୍କର ବୁଧବାର ସକାଳେ ନବି ମୁମ୍ବାଇରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏକ ଦ୍ରୁତ ଗତିରେ ଆସୁଥିବା କାରଟି ତାଙ୍କ ସାଇକେଲ୍‌କୁ ଧକ୍କା ଦେବା ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।

ନେରୁଲର ପାମ ବିଚ୍ ରୋଡରେ ସକାଳ ପ୍ରାୟ ୫.୫୦ ସମୟରେ ସେ ଅନ୍ୟ ସାଇକେଲ ଚାଳକଙ୍କ ସହ ସେହି ରାସ୍ତାରେ ସାଇକେଲରେ ଯାଉଥିବା ବେଳେ ୬୮ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସାଥୀ ସାଇକେଲ ଚାଳକମାନେ କହିଛନ୍ତି ଯେ ସାଇନିଙ୍କ ସାଇକେଲକୁ ଦ୍ରୁତ ଗତିରେ ଆସୁଥିବା ଟ୍ୟାକ୍ସି ପଛପଟୁ ଧକ୍କା ଦେଇଥିଲା। ଡ୍ରାଇଭର ଖସିଯିବାକୁ ଚେଷ୍ଟା କଲାବେଳେ ସାଇକେଲ୍‌ର ଫ୍ରେମ୍ କାର ତଳେ ଲାଖି ଯାଇ ସାଇନିଙ୍କୁ କିଛି ଦୂର ପାଇଁ ଟାଣି ନେଇ ଯାଇଥିଲା।
ସେ ହେଲମେଟ ପିନ୍ଧିଥିଲେ ମଧ୍ୟ ସାଇନି ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
କ୍ୟାବ ଡ୍ରାଇଭରକୁ ଅନ୍ୟ ସାଇକେଲ ଚାଳକମାନେ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ତାଙ୍କ ବିରୋଧରେ ଏବେ ଏକ ମାମଲା ରୁଜୁ ହୋଇଛି ବୋଲି ପୁଲିସ କହିଛି। ଏଯାବତ୍ ତାଙ୍କୁ ଗିରଫ କରାଯାଇ ନାହିଁ।
ଚେମ୍ବୁରର ବାସିନ୍ଦା ସାଇନି ତିନି ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଏକାକୀ ରହୁଥିଲେ। ତାଙ୍କ ପୁଅ ଏବଂ ଝିଅ ଆମେରିକାରେ ରୁହନ୍ତି ଏବଂ ସେ ଆସନ୍ତା ମାସରେ ସେମାନଙ୍କୁ ଦେଖା କରିବାକୁ ଯାଇଥାନ୍ତେ।

Leave a Reply

Your email address will not be published. Required fields are marked *