ରାଜ୍ୟ

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଫାଇଲ ପାସ କରାଇଦେବାକୁ ନେଉଥିଲେ ଟଙ୍କା

ରାଉରକେଲା : ଭିଜିଲାନ୍ସ ଜାଲରେ ଇଏସଆଇ ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ | ଗ୍ୟାସ ମେକାନିକ ବିଶ୍ୱନାଥ ସିଂହଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ | ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀ ରଙ୍ଗବୋଳା ଟଙ୍କା ଜବତ କରିଛନ୍ତି l ଟିମ ଅଧିକାରୀ ଏକକାଳୀନ ତାଙ୍କ ଅଫିସ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି | ମିଳିଥିବା ସୂଚନାମୁତାବକ ବିଶ୍ୱନାଥ ବାଲୁଘାଟ ବସ୍ତିରେ ରହନ୍ତି | ସେ ରୁପୁଟୋଲାରେ ଥିବା ଭାରତ ଗ୍ୟାସ ଏଜେନସିରେ ଚୁଲା ମେକାନିକ କାମ କରୁଥିଲେ | ଗତ ୨୦୨୦ ମେ ମାସରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ | ତାଙ୍କୁ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା |ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ଚିକିତ୍ସା ଖର୍ଚ୍ଚ ପ୍ରାୟ ଲକ୍ଷେ ଟଙ୍କା ଫେରିପାଇବାକୁ ରାଉରକେଲା ଆଇଟିଆଇ ନିକଟସ୍ଥ ଇଏସଆଇ ଡିସପେନସରୀରେ ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଦେଖା କରିଥିଲେ | ଅଭିରାମଙ୍କ କହିବାନୁଯାୟୀ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ | ଅଭିରାମ ଫାଇଲ ପାସ କରିଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ | ଦାବି ମୁତାବକ ଟଙ୍କା ନ ଦେଇ ପାରିବାରୁ ଅଭିରାମ ବିଶ୍ୱନାଥକୁ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ | ଶେଷରେ କୌଣସି ଉପାୟ ନ ପାଇ ବିଶ୍ୱନାଥ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ |

Leave a Reply

Your email address will not be published. Required fields are marked *