ଦେଶ- ବିଦେଶମୁଖ୍ୟ ଖବର

ଶ୍ରୀଲଙ୍କା, ମରିସସ୍‌ରେ ପହଞ୍ଚିଲା ୟୁପିଆଇ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ୍‌ କ୍ଷେତ୍ରରେ ଭାରତରେ ବିପ୍ଳବ ଆଣିଥିବା ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଏହାର ବିଶ୍ବସ୍ତରୀୟ ଯାତ୍ରା ଜାରି ରଖିଛି। ଫ୍ରାନ୍ସ ପରେ ଏହା ଶ୍ରୀଲଙ୍କା ଓ ମରିସସ୍‌ରେ ମଧ୍ୟ ଉପଲବ୍ଧ ହୋଇଛି। ମରିସସ୍‌ରେ ରୁପେ କାର୍ଡର ମଧ୍ୟ ପ୍ରଚଳନ କରାଯାଇଛି। ଏହି ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେ ଓ ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନଥ ସାମିଲ ହୋଇଥିଲେ। ଏହି ଦୁଇଦେଶରୁ ବହୁ ଲୋକ ଭାରତ ଆସୁଥିବା ବେଳେ ବହୁ ଭାରତୀୟ ସେଠାକୁ ଭ୍ରମଣ କରୁଛନ୍ତି। ସେମାନେ ଏବେ ନିରବଚ୍ଛିନ୍ନ ଭାବେ ପେମେଣ୍ଟ କରିବା ଲାଗି ୟୁପିଆଇ ବ୍ୟବହାର କରିପାରିବେ। ମରିସସ୍‌ରେ ରୁପେ କାର୍ଡକୁ ଏଟିଏମ୍ ଓ ଅନ୍ୟ ସ୍ଥାନଗୁଡ଼ିକରେ ବ୍ୟବହାର କରାଯାଇପାରିବ। ଗତ ମାସରେ ୟୁପିଆଇକୁ ଫ୍ରାନ୍ସର ଆଇଫିଲ୍ ଟାୱାରରେ ଉନ୍ମୋଚନ କରାଯାଇଥିଲା। ସିଙ୍ଗାପୁରରେ ମଧ୍ୟ ୟୁପିଆଇ ଉପଲବ୍ଧ ହୋଇଛି। ବିଦେଶରେ ୟୁପିଆଇର ପ୍ରସାର ଉପରେ କେନ୍ଦ୍ର ସରକାର ଜୋର ଦେଉଛନ୍ତି।

Leave a Reply

Your email address will not be published. Required fields are marked *