ମନୋରଞ୍ଜନ

ମୁଁ ଜଣେ ଝିଅ, ଭଉଣୀ, ପତ୍ନୀ ଓ ବୋହୂ; ସେହି ଦୁନିଆରୁ ବାହାରିଗଲା ପରେ ମୁଁ ଜଣେ ସେଲିବ୍ରିଟି : ଦୀପିକା

ଦୀପିକା ପାଦୁକୋନ ଆଜିର ସମୟର ଜଣେ ସଫଳ ଅଭିନେତ୍ରୀ। ତେବେ ଜଣେ କୁଶଳୀ ଅଭିନେତ୍ରୀ କେବଳ ନୁହନ୍ତି, କ୍ରୀଡ଼ା, ନୃତ୍ୟ, ମଡେଲିଂ ସହିତ ଦୀପିକା ବର୍ତ୍ତମାନ ବିଜ୍ଞାପନ ଦୁନିଆରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଅନେକ ବଡ଼ ବଡ଼ ଗ୍ଲୋବଲ୍ ବ୍ରାଣ୍ଡ୍‌ର ଆମ୍ବାସଡର୍ ରହିବା ସହ ନିଜ ସ୍କିନ୍ କେୟାର୍ ରେଞ୍ଜକୁ ମଧ୍ୟ ଲଞ୍ଚ୍ କରିଛନ୍ତି। କହିବାକୁ ଗଲେ ସେ ବର୍ତ୍ତମାନର ସବୁଠୁ ଅଧିକ ପାରିଶ୍ରମିକ ପାଉଥିବା ଏବଂ ଶ୍ରେଷ୍ଠ ଲୋକପ୍ରିୟତା ହାସଲ କରୁଥିବା ନାୟିକା। ତାଙ୍କ ନାଁରେ ଏଯାଏ ତିନୋଟି ଫିଲ୍ମଫେୟାର ପୁରସ୍କାର ନାମିତ ହେଲାଣି। ଏହାସହ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ପାଇଲେଣି ଦୀପିକା। କନ୍ନଡ଼ ସିନେମା ‘ଐଶ୍ବର୍ଯ୍ୟା’ରୁ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ ସେ। ହିନ୍ଦୀ ସିନେମା ‘ଓମ୍ ଶାନ୍ତି ଓମ୍’ରୁ ନିଜ ବଲିଉଡ୍ କ୍ୟାରିୟର୍ ଆରମ୍ଭ କରି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରାଇଥିବା ଦୀପିକା ଚଳିତ ବର୍ଷ ଦୁଇଟି ବଡ଼ ସଫଳ ଚଳଚ୍ଚିତ୍ର ‘ପଠାନ୍’ ଓ ‘ଯୱାନ’ ଦର୍ଶକଙ୍କୁ ଭେଟି ଦେଇଛନ୍ତି।

ନିକଟରେ ଭଗ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତ୍‌କାର ଅନୁସାରେ, ଦୀପିକାଙ୍କୁ ଜଣେ ପ୍ରଶଂସକ ପ୍ରଶ୍ନ ପଚାରିଥିଲେ, ସେ ପ୍ରସିଦ୍ଧ ହେବାକୁ ପସନ୍ଦ କରନ୍ତି କି? ଉତ୍ତରରେ ଦୀପିକା କହିଥିଲେ, ‘‘ମୁଁ ଭାବୁନାହିଁ ଏଥିରେ କିଛି ଅସୁବିଧା ଅଛି ବୋଲି। ମୁଁ ଏପରି ଲୋକଙ୍କ ସହ ରହୁଛି ଯେଉଁମାନେ ଖ୍ୟାତି ବିଷୟରେ ଚିନ୍ତା ମଧ୍ୟ କରନ୍ତି ନାହିଁ। ମୁଁ ଜଣେ ଝିଅ, ଭଉଣୀ, ପତ୍ନୀ, ଜଣେ ବୋହୂ ମଧ୍ୟ। ଯେତେବେଳେ ମୁଁ ସେହି ଦୁନିଆରୁ ବାହାରକୁ ଯାଏ ସେତେବେଳେ ମୁଁ ପ୍ରସିଦ୍ଧ। ଫେମ୍ ବା ଖ୍ୟାତି କହିଲେ ମୁଁ ବିଚାର କରେ, ଆପଣ ନିଜେ ପରିବର୍ତ୍ତନ ଆଣିବାକୁ ସକ୍ଷମ, ଆପଣ ଲୋକଙ୍କ ଜୀବନକୁ ପ୍ରଭାବିତ ତଥା ହୃଦୟକୁ ଛୁଇଁବାକୁ ମଧ୍ୟ ସକ୍ଷମ। ଏସବୁ କରି ମୁଁ ପ୍ରସିଦ୍ଧ ହେଲେ ମୋର କିଛି ଅସୁବିଧା ନାହିଁ।’’

ଦୀପିକା ତାଙ୍କର ଓ ରଣବୀରଙ୍କ ବ୍ୟସ୍ତବହୁଳ ଜୀବନ ଭିତରେ ବି କିପରି ପରସ୍ପରଙ୍କ ପାଇଁ ସମୟ କାଢ଼ନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି। ‘ମୋ ସ୍ବାମୀଙ୍କ ସହିତ ସମୟ ବିତାଇବା ମୋ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଆପଣଙ୍କୁ ସମୟ କାଢ଼ିବାକୁ ହିଁ ପଡ଼ିବ। ଆମେ ଉଭୟ ଏଥିପାଇଁ ଉଦ୍ୟମ କରୁ। ଆମକୁ ଏସବୁ ପୂର୍ବରୁ ନିର୍ଦ୍ଧାରିତ କରିବାକୁ ପଡ଼େ। ଆମ ବୃତ୍ତି ଏମିତି ଯେଉଁଠି ଆମ ଭିତରୁ କାହାକୁ ମାସ ମାସ ଧରି ବାହାରକୁ ଯିବାକୁ ପଡ଼ିଥାଏ। କେତେବେଳେ ତାଙ୍କର ରାତି ଅଧରେ କାମ ସରେ ପୁଣି କେତେବେଳେ ମୋର ସକାଳୁ କାମ ପଡ଼େ। ଏମିତି ଅନେକ ସମୟ ଅଛି ଯେଉଁଠି ଆମେ ଗୋଟେ ସହରରେ ଥାଇ ମଧ୍ୟ ମାତ୍ର କିଛି ସମୟ ଆମେ ଏକାଠି ବିତାଉ, ଯାହାକି ଅତି ମୂଲ୍ୟବାନ। ଏହା ସମୟର ପରିମାଣ ଉପରେ ନିର୍ଭର କରେନି ବରଂ କେତେ ସୁନ୍ଦର ତଥା ମୂଲ୍ୟବାନ ସମୟ ପାଇଲ ତାହା ଜରୁରୀ। ଆମେ ଦୁହେଁ ଏକାଠି ତଥା ଆମ ପରିବାର ସହ ସମୟ ବିତାଇବାକୁ ପସନ୍ଦ କରୁ’ ବୋଲି କହିଛନ୍ତି ଦୀପିକା ପାଦୁକୋନ୍।

Leave a Reply

Your email address will not be published. Required fields are marked *