ରାଜ୍ୟ

ଇମ୍ଫାଲରେ ୟୁଏଫଓ ? ରାଫେଲ୍‌ ବିମାନ ଉଡ଼ାଇ ଖୋଜିଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ରବିବାର ଇମ୍ଫାଲ ବିମାନବନ୍ଦର ନିକଟରେ ଏକ ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫଓ) ଦୃଷ୍ଟିଗୋଚର ହେବା ପରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ଏହାର ଅତ୍ୟାଧୁନିକ ରାଫେଲ ଲଢୁଆ ବିମାନକୁ ଲଗାଇ ସଂପୃକ୍ତ ସନ୍ଦିଗ୍ଧ ୟୁଏଫଓକୁ ଖୋଜାଖୋଜି କରିଥିବା ଜାଣିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଇମ୍ଫାଲ ବିମାନବନ୍ଦର ଉପରେ ୟୁଏଫଓ ଦେଖାଯିବା ପରେ ଗତକାଲି (ରବିବାର) କିଛି ବାଣିଜ୍ୟିକ ବିମାନ ପ୍ରଭାବିତ ହୋଇଥିଲା।ପ୍ରତିରକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇମ୍ଫାଲ ବିମାନବନ୍ଦର ନିକଟରେ ୟୁଏଫଓ ସମ୍ପର୍କରେ ସୂଚନା ମିଳିବା ପରେ ନିକଟସ୍ଥ ଏୟାରବେସରୁ ଏକ ରାଫେଲ ଲଢୁଆ ବିମାନକୁ ପଠାଇ  ୟୁଏଫଓକୁ ଖୋଜିବା ପାଇଁ ଉଦ୍ୟମ କରାଯାଇଥିଲା। ଅତ୍ୟାଧୁନିକ ସେନ୍‌ସରରେ ସଜ୍ଜିତ ରାଫେଲ ବିମାନଟି ୟୁଏଫଓକୁ ଖୋଜିବା ପାଇଁ ସନ୍ଦିଗ୍ଧ ଅଞ୍ଚଳରେ ନିମ୍ନସ୍ତରୀୟ ଉଡ଼ାଣ କରିଥିଲେ ମଧ୍ୟ ସେଠାରେ ତାହାର ଚିହ୍ନବର୍ଣ୍ଣ ବି ମିଳି ନଥିଲା। ତେବେ, ପ୍ରଥମ ରାଫେଲ ବିମାନଟି ବେସ୍‌କୁ ଫେରିବା ପରେ ଆଉ ଗୋଟିଏ ରାଫେଲ ଯୁଦ୍ଧ ବିମାନକୁ ଖୋଜାଖୋଜି ପାଇଁ ପଠାଯାଇଥିଲା। କିନ୍ତୁ ୟୁଏଫଓକୁ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳି ନଥିଲା।

ଇମ୍ଫାଲ ବିମାନବନ୍ଦର ଉପରେ ୟୁଏଫଓର ଭିଡିଓ ଥିବାରୁ ପ୍ରତିରକ୍ଷା ବିଭାଗ ୟୁଏଫଓର ବିବରଣୀ ଜାଣିବାକୁ ଚେଷ୍ଟା କରୁଛନ୍ତି। ଇମ୍ଫାଲ ବିମାନ ବନ୍ଦରକୁ ଉଡ଼ାଣ ପାଇଁ ଅନୁମତି ମିଳିବା ପରେ ଭାରତୀୟ ବାୟୁସେନାର ଶିଲଂ ମୁଖ୍ୟାଳୟରେ ଥିବା ଇଷ୍ଟର୍ଣ୍ଣ କମାଣ୍ଡ କହିଛି ଯେ ଏ ଘଟଣାରେ ନିଆଯାଇଥିବା ପଦକ୍ଷେପ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ବିବରଣୀ ନଦେଇ ଏୟାର ଡିଫେନ୍‌ସ ରେସପନ୍‌ସ ମେକାନିଜିମକୁ ସକ୍ରିୟ କରାଯାଇଛି।

ଇଷ୍ଟର୍ଣ୍ଣ କମାଣ୍ଡ ‘ଏକ୍ସ’ (ପୂର୍ବରୁ ଟ୍ଵିଟର)ରେ କରିଥିବା ଏକ ପୋଷ୍ଟରେ କହିଛି, ଇମ୍ଫାଲ ବିମାନବନ୍ଦରରୁ ମିଳିଥିବା ଭିଜୁଆଲ୍‌ ସୂଚନା ଆଧାରରେ ଭାରତୀୟ ବାୟୁସେନା ଏହାର ଏୟାର ଡିଫେନ୍‌ସ ରେସପନ୍‌ସ ମେକାନିଜିମ୍‌କୁ ସକ୍ରିୟ କରିଛି। ଏହାପରେ ଆଉ ୟୁଏଫଓକୁୁ ଦେଖିବାକୁ ମିଳି ନଥିଲା।

ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନକୁ ପଶ୍ଚିମବଙ୍ଗର ହାସିମାରା ବାୟୁସେନା ଘାଟିରେ ମୁତୟନ କରାଯାଇ ଚୀନ୍‌ ସୀମାରେ ପୂର୍ବ ସେକ୍ଟରର ବିଭିନ୍ନ ବାୟୁସେନା ଘାଟିରୁ ଉଡ଼ାଣ ଜାରି ରଖିଛି।

Leave a Reply

Your email address will not be published. Required fields are marked *