ମୁଖ୍ୟ ଖବର

ଡିପ୍‌ଫେକ୍‌କୁ ନେଇ ମୋଦୀଙ୍କ ଉଦ୍‌ବେଗ: ଗର୍‌ବା ନଚେଇଥିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍‌ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଅପବ୍ୟବହାର କରାଯାଉଥିବାରୁ ‌ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ସେ ନିଜେ ମଧ୍ୟ ଏହାର ଶିକାର ହୋଇଛନ୍ତି ବୋଲି କହିଛନ୍ତି। ନିକଟରେ ସେ ଗର୍‌ବା ନାଚୁଥିବା ଭିଡିଓ ଦେଖିଥିଲେ। ତାହା ତାଙ୍କର ଅସଲି ଭିଡିଓ ନଥିଲା, ବରଂ ରୂପାନ୍ତରିତ ବା ନକଲି ଭିଡିଓ ଥିଲା। ବାସ୍ତବତା ହେଲା ସେ ତାଙ୍କ ବିଦ୍ୟାଳୟ ଜୀବନ ପରେ କେବେ ଗର୍‌ବା ନାଚିନାହାନ୍ତି। କେହି ଜଣେ ମୋର ଡିପ୍‌ଫେକ୍‌ ପ୍ରସ୍ତୁତ କରିଛି। ଦିଲ୍ଲୀରେ ସାମ୍ବାଦିକମାନଙ୍କ ପାଇଁ ବିଜେପିର ଦୀପାବଳି ମିଳନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି ଯେ ଡିପ୍‌ଫେକ୍ ବଡ଼ ସଂକଟ ଆଣିପାରେ। ଏପରିକି ଭାରତ ଭଳି ବିବିଧତାପୂର୍ଣ୍ଣ ସମାଜରେ ଘୃଣାର ନିଆଁ ଲଗାଇ ଦେଇପାରେ। ପ୍ରଯୁକ୍ତିର ଏପରି ଅପବ୍ୟବହାରର ବିପଦ ସଂପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି। ନୂଆକରି ମୁଣ୍ଡ ଟେକିଥିବା ପ୍ରଯୁକ୍ତି ସଂପର୍କରେ ସଚେତନ ଓ ସତର୍କ ରହିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏଆଇ ଜରିଆରେ ପ୍ରସ୍ତୁତ ହେଉଥିବା ଏଭଳି ଭିଡିଓ ସମସ୍ୟା ସୃଷ୍ଟି କରୁଛି। ଗଣମାଧ୍ୟମ ଏହି ପ୍ରଯୁକ୍ତିର ନକାରାତ୍ମକ ଦିଗ ସଂପର୍କରେ ଲୋକଙ୍କୁ ସୂଚନା ଦେବା ଆବଶ୍ୟକ। ସାମାଜିକ ଗଣମାଧ୍ୟମରେ ଡିପଫେକ୍ ଜରିଆରେ ଗୋଟିଏ ଚରିତ୍ରକୁ ଯେତେବେଳେ ନକଲି ବନାଯାଉଛି ସେତେବେଳେ ଅଧିକାଂଶ ଲୋକଙ୍କ ନିକଟରେ ତାହାକୁ ଯାଞ୍ଚ କରିବାର ବିକଳ୍ପ ନାହିଁ। ତେଣୁ ଲୋକମାନେ ଡିପଫେକ୍‌ ଜରିଆରେ ପ୍ରସ୍ତୁତ ନକଲି ଫଟୋ ଓ ଭିଡିଓଙ୍କୁ ସତ ଭାବିବାର ସମସ୍ତ ସମ୍ଭାବନାର ରହିଛି। ଏହା ଆଗକୁ ବଡ଼ ଚାଲେଞ୍ଜ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଡିପ୍‌ଫେକ୍‌ ଭିଡିଓ ଅନଲାଇନ୍‌‌ରେ ପ୍ରସାରିତ ହେବାର କିଛିଦିନ ପରେ ଅନ୍ୟତମ ବଲିଉଡ଼ ଅଭିନେତ୍ରୀ କାଜଲଙ୍କର ମଧ୍ୟ ଏପ୍ରକାର ଭିଡିଓ ସାମ୍ନାକୁ ଆସିଛି। ଅନଲାଇନ୍‌ରେ ପ୍ରସାରିତ ହେଉଥିବା ଉକ୍ତ ଭିଡିଓ କ୍ଲିପ୍‌ରେ ଜଣେ ମହିଳା ତାଙ୍କ ଶରୀରରେ କାଜଲଙ୍କ ମୁହଁ ଲଗାଇ କ୍ୟାମେରାରେ ପୋଷାକ ବଦଳାଉଛନ୍ତି। ତେବେ ବୁମ୍‌ଲାଇଭ ଭଳି ଏକାଧିକ ତଥ୍ୟ ଯାଞ୍ଚକାରୀ ପ୍ଲାଟଫର୍ମରୁ ଜାଣିବାକୁ ମିଳିଛି ଯେ ସେହି ଭିଡିଓଟି ପ୍ରକୃତରେ ଜଣେ ଇଂଲିଶ ସୋସିଆଲ ମିଡିଆ ଇନଫ୍ଲଏନସରଙ୍କର। ‘‘ଗେଟ୍ ରେଡି ଉଇଥ୍ ମି’’ ଟ୍ରେଣ୍ଡ୍‌ର ଏକ ଅଂଶଭାବେ ସଂପୃକ୍ତ ମହିଳା ସେହି କ୍ଲିପ୍‌କୁ ଟିକ୍‌ଟକ୍‌ରେ ପୋଷ୍ଟ କରିଥିଲେ।

କିଛିଦିନ ତଳେ ଉକ୍ତ ଡିପ୍‌ଫେକ୍‌ ଭିଡିଓ ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଛି। ସଂପାଦିତ ଭିଡିଓରେ ପୋଷାକ ବଦଳାଉଥିବା ମହିଳାଜଣକ ଅଭିନେତ୍ରୀ କାଜଲଙ୍କର ବୋଲି ଧାରଣା ସୃଷ୍ଟି କରିଛି। କିନ୍ତୁ ବୁମଲାଇଭ ଏବଂ ଅନ୍ୟ ୱେବସାଇଟ୍ ଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ଉକ୍ତ ଭିଡିଓରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ବ୍ୟବହାର ହୋଇଛି। ଉକ୍ତ ପ୍ରଯୁକ୍ତିରେ ଜଣେ ମହିଳାଙ୍କର ଭିଡିଓ ଓ ଫଟୋକୁ ଏପଟସେପଟ କରାଯିବା ସହିତ ଏଡିଟ୍ ମଧ୍ୟ କରାଯାଇ ପାରିବ। କାଜଲଙ୍କ କ୍ଷେତ୍ରରେ ଯେଉଁ ଇଂଲିଶ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଚିହ୍ନଟ କରାଯାଇଛି ସେ ହେଉଛନ୍ତି ରୋଜି ବ୍ରିନ୍‌। ଗତ ଜୁନ ୫ ତାରିଖରେ ସେ ଏହି ଭିଡିଓକୁ ଟିକ୍‌ଟକ୍‌ରେ ପୋଷ୍ଟ୍‌ କରିଥିଲେ। କିନ୍ତୁ ସଂପାଦିତ ହୋଇଥିବା ଭିଡିଓ ଯାହା ଏବେ ଅନଲାଇନରେ ଭାଇରାଲ ହୋଇଛି ସେଥିରେ ବ୍ରିନ୍‌ଙ୍କ ମୁହଁ ସ୍ଥାନରେ କାଜଲଙ୍କ ମୁହଁକୁ ଲଗାଯାଇଛି। ଫଳରେ କାଜଲ କ୍ୟାମେରାରେ ପୋଷାକ ବଦଳାଇବା ସମୟରେ ତାଙ୍କ ଶରୀରକୁ ଦେଖାଉଥିବା ପରିଦୃଶ୍ୟ ହୋଇଛି।

Leave a Reply

Your email address will not be published. Required fields are marked *