ବିରୋଧୀଙ୍କ ସଂସଦ ଭବନ ଉଦ୍‌ଘାଟନ ବର୍ଜନକୁ ପ୍ରଧାନମନ୍ତ୍ରୀଙ୍କ ପରୋକ୍ଷ ନିଶାଣ: ‘ଶତ୍ରୁର ମଧ୍ୟ ଆମେ ଯତ୍ନ ନେଇଥାଉ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତ ସାରି ଭାରତ ଫେରିଛନ୍ତି। ଦିଲ୍ଲୀର ପାଲମ ବିମାନବନ୍ଦରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ କ’ଣ ଚିନ୍ତା କରୁଛି ତାହା ବିଶ୍ୱ ଜାଣିବାକୁ ଚାହୁଛି। ଯେତେବେଳେ ମୁଁ ମୋ ଦେଶର ସଂସ୍କୃତି ବିଷୟରେ କହେ, ମୁଁ ବିଶ୍ବ ଆଖିରେ ଦେଖେ। ଭାରତର ଟିକା କୂଟନୀତି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ଏଠାରେ ବିରୋଧୀ ଦଳମାନେ ପଚାରୁଥିଲେ ସେ କାହିଁକି ସାରା ବିଶ୍ବକୁ ଟିକା ଯୋଗାଇଲେ। ଏବେ ପୂରା ବିଶ୍ବ ଭାରତର ଏହି ନୀତିକୁ ସମ୍ମାନ ଦେଉଛି। ମୋଦୀ କହିଥିଲେ, ଏହା ହେଉଛି ବୁଦ୍ଧ ଓ ଗାନ୍ଧୀଙ୍କ ଭୂମି। ଆମେ ଆମର ଶତ୍ରୁମାନଙ୍କର ମଧ୍ୟ ଯତ୍ନ ନେଇଥାଉ। ଆଜି ବିଶ୍ୱ ଜାଣିବାକୁ ଚାହୁଛି ଭାରତ କ’ଣ ଚିନ୍ତା କରୁଛି।

ବିରୋଧୀ ଦଳଙ୍କ ସଂସଦ ଭବନ ଉଦ୍‌ଘାଟନ ଉତ୍ସବ ବର୍ଜନକୁ ପରୋକ୍ଷରେ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ, ଅଷ୍ଟ୍ରେଲିଆରେ ସରକାରଙ୍କ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ସେଥିରେ ହଜାର ହଜାର ଭାରତୀୟ ଯୋଗ ଦେଇଥିଲେ। କେବଳ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ନୁହନ୍ତି, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳ ନେତାମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୋଦୀ କହିଥିଲେ, ବିଦେଶରେ ମୁଁ ମୋ ଦେଶକୁ ଗୌରବାନ୍ବିତ କରେ। ପୂର୍ଣ୍ଣ ବିଶ୍ବାସ ଓ ଗର୍ବର ସହ ଏହା ମୁଁ କରିଥାଏ କାରଣ ମୋ ସରକାରକୁ ଆପଣମାନେ ବହୁମତରେ ନିର୍ବାଚିତ କରିଛନ୍ତି। ମୁଁ ଯେତେବେଳେ ବିଦେଶରେ କୁହେ, ସେମାନେ କେବଳ ମୋ କଥାକୁ ବିଶ୍ବାସ କରନ୍ତି ନାହିଁ, ବରଂ ୧୪୦ କୋଟି ଭାରତୀୟଙ୍କୁ ବିଶ୍ବାସ କରନ୍ତି। ମୁଁ ଯେଉଁ ନେତାମାନଙ୍କୁ ଭେଟିଛି, ସେମାନେ ଅଭିଭୂତ ହୋଇଛନ୍ତି ଏବଂ ଜି୨୦ର ଅଧ୍ୟକ୍ଷତା କରୁଥିବା ଭାରତକୁ ପ୍ରଶଂସା କରିଛନ୍ତି ବୋଲି ମୋଦୀ କହିଥିଲେ।

ମୋଦୀ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଆତିଥ୍ୟ ପାଇଁ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆଣ୍ଟୋନି ଆଲବାନିଜଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଗସ୍ତ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବନ୍ଧୁତାକୁ ବଢ଼ାଇବ ଏବଂ ଉଭୟ ନେତା ବିଶ୍ବ ହିତରେ ଏକ ‘ଜୀବନ୍ତ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତା’ ଦିଗରେ କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ତିନି ଦେଶ ଗସ୍ତରୁ ଆସିବା ପରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳୀୟ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ନଡ୍ଡା କହିଥିଲେ, ବିଶ୍ୱ ଆପଣଙ୍କ ଶାସନ ମଡେଲକୁ ପ୍ରଶଂସା କରୁଛି ଏବଂ ଆପଣଙ୍କ ନେତୃତ୍ୱରେ ପୂରା ବିଶ୍ବରେ ଭାରତ ପ୍ରତି ସମ୍ମାନ ବଢ଼ିଛି।

Leave a Reply

Your email address will not be published.